କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ଦାବି : ୧୭ରେ କୋସଲ ସେନାର ଆମରଣ ଅନଶନ

ବରଗଡ, ଏନ୍ଏନ୍ଏସ୍: ବରଗଡ଼ରେ କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ଦାବି ନେଇ ଆଗାମୀ ୧୭ ତାରିଖରେ ଆମରଣ ଅନଶନକୁ ଓହ୍ଲାଇବ କୋସଲ ସେନା ପକ୍ଷରୁ କୁହାଯାଇଛି। ଜିଲ୍ଲାରେ କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ନେଇ ଦୀର୍ଘ ଦିନରୁ ଆନ୍ଦୋଳନ ହୋଇଆସୁଥିବା ବେଳେ ବିଗତ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଠାରେ ହସ୍ପିଟାଲ ସ୍ଥାପନ ନେଇ ଘୋଷଣା କରିଥିଲେ। ଘୋଷଣାର ଦୀର୍ଘ ଦିନ ପରେ ମଧ୍ୟ ହସ୍ପିଟାଲ ପ୍ରତିଷ୍ଠା ଦିଗରେ ସରକାରଙ୍କ ଆନ୍ତରିକତା ନ ଥିବା ପରିଲକ୍ଷିତ ହେଉଛି । ଯାହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ଅପରପକ୍ଷେ କୋସଲ ସେନା ତରଫରୁ ଏ ନେଇ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାର ସ୍ମାରକପତ୍ର ପ୍ରଦାନ ସହ ଆଗାମୀ ୧୭ ତାରିଖରେ ଆମରଣ ଅନଶନ କରାଯିବ ବୋଲି ନିଷ୍ପତି ନିଆଯାଇଛି। ସାମ୍ବାଦିକ ସମ୍ମିଳନୀରେ କୋସଲ ସେନାର ସଭାପତି ସୁଶାନ୍ତ ମିଶ୍ର, ଆବାହକ ଅବିନାଶ ଚନ୍ଦ୍ର ବିଶି, ସମ୍ପାଦକ ବିରବଲ ମହାକୁର, ଉପସଭାପତି ଅଶୋକ ଛତ୍ତର ପ୍ରମୁଖ ଉପସ୍ଥିତ ଥିଲେ ।