ରନ୍ଧନ ଗ୍ୟାସ ସିଲିଣ୍ଡର ସହ କଂଗ୍ରେସର ସାଇକେଲ ଶୋଭାଯାତ୍ରା

ଦେବଗଡ଼,ଏନ୍ଏନ୍ଏସ୍: ଅତ୍ୟାବଶ୍ୟକ ସାମଗ୍ରୀ ସହ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଅହେତୁକ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ଦେବଗଡ଼ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦେବଗଡ଼ ଜିଲ୍ଲା କଂଗ୍ରେସ କମିଟି ସଭାପତି ଉମାଶଙ୍କର ସାହୁଙ୍କ ନେତୃତ୍ୱରେ ଆଜି ପୂର୍ବାହ୍ନରେ ବହୁଦଳୀୟ କର୍ମୀ ସ୍ଥାନୀୟ ଗୋପାଳଜି ମନ୍ଦିର ନିକଟରୁ ଏକ ସାଇକେଲ ଶୋଭାଯାତ୍ରାରେ ରନ୍ଧନ ଗ୍ୟାସ ସିଲିଣ୍ଡର ଧରି କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେବାସହ ହାତରେ ପ୍ଲାକାର୍ଡ ଧରି ନଗର ପରିକ୍ରମା କରିଥିଲେ। ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଥିଲେ। ସେଠାରେ କେନ୍ଦ୍ର ସରକାରଙ୍କ ନୀତିକୁ ଗରିବ ମାରଣ ଦର୍ଶାଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ରନ୍ଧନ ଗ୍ୟାସ, ପେଟ୍ରୋଲ ଓ ଡିଜେଲ ସମେତ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧିକୁ ବିରୋଧ କରି ଆଗାମୀ ଦିନରେ ଜନ ଆନ୍ଦୋଳନକୁ ବ୍ୟାପକ କରାଯିବା ନେଇ ସଭାପତି ଶ୍ରୀ ସାହୁ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ଜିଲ୍ଲା ମହିଳା ସଭାନେତ୍ରୀ ମଞ୍ଜୁଲତା ନାୟକ, ଏସଟି ସେଲ ସଭାପତି କ୍ଷେତ୍ର କୁମାର ପାତ୍ର, ଏସସି ସେଲ ସଭାପତି ମଞ୍ଜୁଳ ନାୟକ, ନଗର ସଭାପତି ପ୍ରକାଶ ଚନ୍ଦ୍ର ଦେବତା, ଉପସଭାପତି ସଚ୍ଚିଦାନନ୍ଦ ପଟ୍ଟନାୟକ, ସମ୍ପାଦକ ବିନୋଦ ବିହାରୀ ନାୟକ, କ୍ଷିତୀଶ ଚନ୍ଦ୍ର ପ୍ରଧାନ, ବରିଷ୍ଠ କଂଗ୍ରେସ ନେତା ପ୍ରମୋଦ କୁମାର ମିଶ୍ର, ବସନ୍ତ କୁମାର ମିଶ୍ର ଓ ମିଡ଼ିଆ ସେଲ ଅଧ୍ୟକ୍ଷ ପଞ୍ଚୁଲାଲ ବରାଇଙ୍କ ସମେତ ବହୁଦଳୀୟ କର୍ମୀ ସକ୍ରିୟ ଅଂଶଗ୍ରହଣ କରିଥିଲେ।