ରାଉରକେଲା,ଏନ୍ଏନ୍ଏସ୍: ରାଉରକେଲାର ବାଲୁଘାଟ ଅଞ୍ଚଳରେ ଆଜି ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ମିନି ବସ୍ ଓଲଟି ପଡ଼ି ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୬ ଜଣ ଗୁରୁତର ଆହତ ହୋଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ସାଢେ ୭ ଟାରେ ଘରୋଇ ମିନି ବସ (ମା’ ତାରିଣୀ) ୧୫ ଜଣ ଯାତ୍ରୀଙ୍କୁ ନେଇ ଲାଠିକଟାରୁ ରାଉରକେଲା ଆସୁଥିଲା। ବାଲୁଘାଟ ଏନଏଚ ଡାକବଙ୍ଗଳା ସମ୍ମୁଖରେ ବସଟି ଭାରସାମ୍ୟ ହରାଇ ଡିଭାଇଡରକୁ ପିଟି ଓଲଟି ପଡ଼ିଥିଲା। ପରେ ସ୍ଥାନୀୟ ଲୋକେ ବସ ଭିତରୁ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ। ଖବର ପାଇ ରଘୁନାଥପାଲି ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି ବସକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ଗୁରୁତର ମାନଙ୍କୁ ରାଉରକେଲା ସରକାରୀ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିବା ବେଳେ ମୃତକଙ୍କ ପରିଚୟ ମିଳିନାହିିଁ।