ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଘାଟିରେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସଟି ଉମରକୋଟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଚନ୍ଦାହାଣ୍ଡିରେ ଚାଲିଥିବା ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଯୋଗଦେବାକୁ ଯାଉଥିବାବେଳେ ଭାରସାମ୍ୟ ହରାଇ ଘାଟିରେ ବସ୍ ଓଲଟି ପଡ଼ିଛି । ଦୁର୍ଘଟଣାରେ ଜଣେ ଖେଳ ଶିକ୍ଷକଙ୍କ ମୃତ୍ୟୁ ଘଟିଛି । ଶିକ୍ଷକ ଜଣକ ହେଲେ ଉମରକୋଟ ସ୍ୱାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରର ଖେଳ ଶିକ୍ଷକ ପ୍ରଭାସ ଜେନା । ୪୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି । ଆହତ ଛାତ୍ରଛାତ୍ରୀଙ୍କୁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସମସ୍ତ ଛାତ୍ରଛାତ୍ରୀ ଉମରକୋଟ ବ୍ଲକର ବଡ଼ଭରଣ୍ଡି, ଭାମିନି ଓ ନୟକଗୁଡ଼ା ବିଦ୍ୟାଳୟର ରହିଥିଲେ । ବର୍ତ୍ତମାନ ସୁଦ୍ଧା ୪୦ଜଣ ଛାତ୍ରଛାତ୍ରୀଙ୍କ ଚିକିତ୍ସା ଚାଲିଛି । ଗୁରୁତର ୫ଜଣ ଛାତ୍ରଛାତ୍ରୀଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଉମରକୋଟସ୍ଥିତ ଏହି ବସର କ୍ଷମତା ୩୫ ରହିଥିବାବେଳେ ଏଥିରେ ମୋଟ ୫୮ଜଣ ଛାତ୍ରଛାତ୍ରୀ ଏବଂ ୫ଜଣ କ୍ରୀଡ଼ା ଶିକ୍ଷକ ରହିଥିଲେ । ବସରେ ବସିଥିବା ଆହତ ଛାତ୍ରଙ୍କ କହିବାନୁସାରେ, ବସଟିର ଗତି ଅଧିକ ରହିଥିଲା ଏବଂ ଘାଟିରେ ବ୍ରେକ ଫେଲ ହେବାରୁ ଓଲଟି ପଡ଼ିଲା । ବର୍ତ୍ତମାନ ପୁଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି । ଉଦ୍ଧାର କାର୍ଯ୍ୟ ସରିଛି । କୌଣସି ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିନାହିଁ । ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ପହଞ୍ଚି ଆହତ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ସେମାନଙ୍କ ସ୍ୱାସ୍ଥ୍ୟ ବିଷୟରେ ଡାକ୍ତରଙ୍କୁ ପଚାରି ବୁଝିଛନ୍ତି । ସମସ୍ତ ଆହତଙ୍କ ଅବସ୍ଥା ସ୍ଥିର ରହିଥିବା ମେଡିକାଲ ଅଫିସର କହିଛନ୍ତି ।