ଜୟପୁର,ଏଜେନ୍ସି: ରାଜସ୍ଥାନରେ ଏକ ମନ୍ଦିର ଜମି ବିବାଦକୁ କେନ୍ଦ୍ର କରି କିଛି ଦୁର୍ବୃତ୍ତ ଜଣେ ପୂଜକଙ୍କୁ ଜିଅନ୍ତା ଜାଳି ଦେଇଛନ୍ତି। ରାଜସ୍ଥାନ କରୌଲି ଜିଲ୍ଲା ବୁକନା ଗ୍ରାମରେ ଏଭଳି ଘଟଣା ଘଟିଛି । ପୂଜକ ଜଣକୁ ଗୁରୁତର ଅବସ୍ଥାରେ ଜୟପୁରସ୍ଥିତ ଏସ୍ଏମ୍ଏସ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଗୁରୁବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଜଣେ ପୂଜକଙ୍କ ଜମିକୁ ସ୍ଥାନୀୟ ବ୍ୟକ୍ତି ଜବରଦଖଲ କରିଥିଲା । ଉକ୍ତ ଘଟଣାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ବିବାଦର ସୂତ୍ରପାତ ଘଟିଥିଲା । ଘଟଣାର ମୁଖ୍ୟ ଅଭିଯୁକ୍ତ କୈଳାସ ମୀନାକୁ ଗିରଫ କରାଯାଇଛି । ମୁଖ୍ୟ ଅଭିଯୁକ୍ତ କୈଳାସ ମୀଣା ଓ ତାଙ୍କ ପୁଅ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହଯୋଗରେ ପୂଜକଙ୍କ ଜମିକୁ ମାଡ଼ି ବସିବାକୁ ଚେଷ୍ଟା କରିଥିଲେ। ମୃତ୍ୟୁ ପୂର୍ବରୁ ପୀଡ଼ିତ ପୂଜାରୀ ୫୦ ବର୍ଷୀୟ ବାବୁଲାଲ୍ ବୈଷ୍ଣବ ପୁଲିସକୁ ବୟାନ ଦେଇଥିବା ସମ୍ପର୍କରେ କରୌଲି ଏସ୍ପି ମୃଦୁଲ କଚ୍ଛୱା କହିଛନ୍ତି । ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ଉଦ୍ୟମ ଚଳାଇଛି ।
ଏହି ଘଟଣାରେ ରାଜସ୍ଥାନ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତ୍ରୀ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ଙ୍କୁ ଟାର୍ଗେଟ୍ କରିବା ସହ ଏହା ଏକ ନିନ୍ଦନୀୟ ଘଟଣା ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଟ୍ୱିଟ୍ କରି ବାବୁଲାଲ୍ ବୈଷ୍ଣବଙ୍କ ହତ୍ୟାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ କହି କଡ଼ା ନିନ୍ଦା କରିଛନ୍ତି । ସଭ୍ୟ ସମାଜରେ ଏପରି ହୀନକର୍ମର କୌଣସି ସ୍ଥାନ ନାହିଁ ବୋଲି କହିଛନ୍ତି । ଦୋଷୀଙ୍କ ପ୍ରତି କଡ଼ା ଶାସ୍ତି ବିଧାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଗେହଲଟ୍ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି । ପୀଡ଼ିତ ବାବୁଲାଲ୍ ପୁଲିସ ଆଗରେ ବୟାନ ଦେଇଛନ୍ତି ଯେ କୈଳାସ ମୀଣା ଓ ତାଙ୍କ ସାଥି ଶଙ୍କର, ନମୋ, କିଶନ ଓ ରାମଲଖନଙ୍କୁ ଧରି ମନ୍ଦିର ବାଡକୁ ଦଖଲ କରି ସେଠାରେ ଛପର କରୁଥିଲେ । ବାବୁଲାଲ୍ ସେଥିରେ ବାଧା ଦେବାରୁ ଅଭିଯୁକ୍ତମାନେ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ ।
ମନ୍ଦିର ନାମରେ ଥିବା ୧୫ ବିଘା ଜମିକୁ ଚାଷ କରି ବାବୁଲାଲଙ୍କ ପରିବାର ଚଳନ୍ତି । କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି, ରାଜ୍ୟରେ ଗୁଣ୍ଡାଙ୍କ ରାଜ ଚାଲିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦେଶସାରା ଗସ୍ତ କରୁଛନ୍ତି। ଅଥଚ ହରିଆଣା ପ୍ରତି ସାମାନ୍ୟ ଦୃଷ୍ଟି ପକାଉନାହାନ୍ତି । ସେ ରାଜ୍ୟ ସରକାରଙ୍କ ଇସ୍ତଫା ଦାବି କରିବା ଉଚିତ । ଗ୍ରାମବାସୀମାନେ ମୃତ ପୂଜକଙ୍କ ପରିବାରକୁ ସମର୍ଥନ କରି କ୍ଷତିପୂରଣ ଦାବି କରିଛନ୍ତି ।