ଯୁବକଙ୍କ ଉନ୍ମତ କାଣ୍ଡ: ପେଟ୍ରୋଲ ବମ ଫିଙ୍ଗି ଜାଳିଦେଲେ ହାଇୱା

ଆଳି,ଏନ୍ଏନ୍ଏସ୍: ଶନିବାର ଭୋର ପ୍ରାୟ ୫ଟା ସମୟରେ ଆଳି ଦେମାଳ ଅଞ୍ଚଳର ଜଣେ ଯୁବକ ପେଟ୍ରୋଲ ବମ ଫିଙ୍ଗି ଚିପ୍ସ ବୋଝେଇ ଏକ ହାଇୱାକୁ ଜାଳି ଦେଇଥିବା ଦେଖିବାକୁ ମିଳିଛି। ସେହିପରି ଆଉ ଏକ ଆଇରନ ବୋଝେଇ ୧୨ଚକିଆ ଟ୍ରକକୁ ନିଆଁ ଲଗାଇବାକୁ ଉଦ୍ୟମ କରୁଥିବା ସମୟରେ ପୁଲିସ ପହଞ୍ଚି ଯୁବକକୁ କାବୁ କରିଛି।

ଏହି ସମୟ ମଧ୍ୟରେ ବାଲେଶ୍ୱରରୁ ମାଛ ପାଇଁ ଆସୁଥିବା ଦୁଇଟି ଗାଡିକୁ ମଧ୍ୟ ପେଟ୍ରୋଲ ବମ ଫିଙ୍ଗି ଥିବା ଜଣାପଡିଛି। ସୂଚନା ଅନୁସାରେ ଶନିବାର ସକାଳେ ଚଣ୍ଡିଖୋଲରୁ ରାଜକନିକା ଆସୁଥିବା ଚିପ୍ସ ବୋଝେଇ ଗାଡିକୁ ଯୁବକ ଜଣକ ଆଳି ଦୁର୍ଗା ମଣ୍ଡପ ନିକଟରେ ଅଟକାଇ ଜରି ଭର୍ତ୍ତି ପେଟ୍ରୋଲ ଫିଙ୍ଗି ନିଆଁ ଲଗାଇ ଦେଇଥିଲେ। ଡ୍ରାଇଭର ସଙ୍ଗେ ସଙ୍ଗେ ଗାଡିରୁ ବାହାରି ଆସିଥିବା ବେଳେ ତାଙ୍କର କୌଣସି କ୍ଷତି ହୋଇନାହିଁ। ସେଠାରୁ ଡ୍ରାଇଭର ଜଣଙ୍କ ଥାନାକୁ ଯାଇ ଘଟଣା ସମ୍ପର୍କରେ ଜଣାଇଥିଲେ। ପୁଲିସ ଏନେଇ ଅଗ୍ନିଶମ ବିଭାଗକୁ ସୂଚନା ଦେବା ସହିତ ଡ୍ରାଇଭର ସହ ଘଟଣା ସ୍ଥଳକୁ ଯାଇଥିଲେ। ଆଳି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଗାଡିଟି ସମ୍ପୂର୍ଣ ଜଳି ଯାଇଛି।

ସେହିପରି ବଡ଼ବିଲରୁ ଆସୁଥିବା ଏକ ଆଇରନ ବୋଝେଇ ଟ୍ରକକୁ ଆଳି ବାଳକାଟୀ ନିକଟରେ ଥିବା ପେଟ୍ରୋଲ ପମ୍ପ ନିକଟରେ ଅଟକାଇ ପେଟ୍ରୋଲ ଫିଙ୍ଗି ଜାଳିବାକୁ ଉଦ୍ୟମ କରୁଥିବା ସମୟରେ ଆଳି ଥାନା ଏସଆଇ ସୌମ୍ୟରଞ୍ଜନ ପାଣିଗ୍ରାହୀ ପହଞ୍ଚି ସଙ୍ଗେସଙ୍ଗେ ଯୁବକଙ୍କୁ କାବୁ କରି ଥାନାରେ ଅଟକ ରଖିଥିବା ସୂଚନା ମିଳିଛି l ତେବେ ଯୁବକ ଜଣଙ୍କ କେଉଁ କାରଣରୁ ଏଭଳି କାଣ୍ଡ ଘଟାଇଲେ ତାହା ସ୍ପଷ୍ଟ ହୋଇପାରି ନାହିଁ।