ନୂଆଦିଲ୍ଲୀ: କରୋନା ଆକ୍ରାନ୍ତଙ୍କ ମାମଲାରେ ଭାରତ ପ୍ରତିଦିନ ନୂଆ ନୂଆ ରେକର୍ଡ ସୃଷ୍ଟି କରିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ସର୍ବାଧିକ ୧୧ ହଜାର ୪୫୮ଟି ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୩୮୬ ଜଣଙ୍କର ମୃତ୍ୟୁ ଘଟିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ମୁତାବକ, ଦେଶରେ ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ୮ ହଜାର ୯୯୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୮ ହଜାର ୮୮୪ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟପଟେ ୧ ଲକ୍ଷ ୫୪ ହଜାର ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ସୂଚନାଯୋଗ୍ୟ, ସମଗ୍ର ଭାରତରେ କରୋନା ସଂକ୍ରମଣର ସ୍ଥିତି ସମାନ ନୁହେଁ। କେବଳ କିଛି ରାଜ୍ୟରେ ଆକ୍ରାନ୍ତଙ୍କ ମାମଲା ଅଧିକ ଥିବା ଯୋଗୁ ଭାରତରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ଟପି ଯାଇଛି। ଆଉ ଏହି ୩ ଲକ୍ଷ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ମହାରାଷ୍ଟ୍ରରେ ୧ ଲକ୍ଷ ୧ହଜାର ୧୪୧ ଜଣ ରହିଛନ୍ତି। ସେହିପରି ତାମିଲନାଡ଼ୁରେ ୪୦ ହଜାର ୧୯୮ ଜଣ ଓ ଦିଲ୍ଲୀରେ ୩୬ ହଜାର ୮୨୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ଆମେରିକା, ବ୍ରାଜିଲ, ଋଷ ପରେ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ଦେଶଙ୍କ ମଧ୍ୟରେ ଭାରତ ଚତୁର୍ଥ ସ୍ଥାନରେ ରହିଛି। ସଂକ୍ରମଣ ମାମଲାରେ ପ୍ରଥମ ସ୍ଥାନରେ ଥିବା ଆମେରିକାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧ ଲକ୍ଷ ଟପିଥିବା ବେଳେ ମୃତ୍ୟୁସଂଖ୍ୟା ୧ ଲକ୍ଷରୁ ଊଦ୍ଧ୍ୱର୍ ରହିଛି। ସେହିପରି ବ୍ରାଜିଲରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷରେ ପହଂଚିଥିବା ବେଳେ ଋଷରେ ୫ ଲକ୍ଷରୁ ଊର୍ଦ୍ଧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଆମେରିକା ଓ ବ୍ରାଜିଲ ପରେ ଭାରତରେ ଦିନକରେ ସର୍ବାଧିକ ନୂଆ ମାମଲା ସାମ୍ନାକୁ ଆସିଛି।