କୋଭିଡ ହସ୍ପିଟାଲରେ ଭେଷଜ ବିଶେଷଜ୍ଞ ଓ ପ୍ରଶିକ୍ଷିତ ନର୍ସ ନିଯୁକ୍ତି ସମେତ ୮ ଦଫା ଦାବି

ବଲାଙ୍ଗିର,ଏନ୍ଏନ୍ଏସ୍: କୋଭିଡ ନିୟନ୍ତ୍ରଣ କମିଟି ପକ୍ଷରୁ ବଲାଙ୍ଗିର କିସ୍ କୋଭିଡ ହସ୍ପିଟାଲରେ ଭେଷଜ ବିଶେଷଜ୍ଞ ଓ ପ୍ରଶିକ୍ଷିତ ନର୍ସ ନିଯୁକ୍ତି ସମେତ ୮ ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ ଯେ, ବଲାଙ୍ଗିରରେ ବିଗତ ମାସେ ହେବ କରୋନା ତାଣ୍ଡବ ରଚୁଛି। ପ୍ରତିଦିନ ଜିଲ୍ଲାରେ କରୋନରେ ଲୋକଙ୍କ ମୃତ୍ୟୁ ହେଉଛି। ଚିକିତ୍ସା ପାଇଁ ଲୋକେ କିସ୍ କରୋନା ହସ୍ପିଟାଲ ଉପରେ ନିର୍ଭରଶୀଳ ଥିବା ବେଳେ ଏଠାକାର ବିପର୍ଯ୍ୟସ୍ଥ ସ୍ୱାସ୍ଥ୍ୟସେବା ଅନେକ ଯୁବକଙ୍କ ଜୀବନ ନେଇଛି। କିସ୍ ହସ୍ପିଟାଲରେ ଭେଷଜ ବିଶେଷଜ୍ଞ ଓ ପ୍ରଶିକ୍ଷିତ ନର୍ସ ନଥିବାରୁ ଗୁରୁତର ରୋଗୀ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ପାଇପାରୁନାହାନ୍ତି।

ଏଭଳି ପରିସ୍ଥିତିରେ କିସ୍ କୋଭିଡ ହସ୍ପିଟାଲରେ କିଛି ଅଭିଜ୍ଞ ଭେଷଜ ବିଶେଷଜ୍ଞଙ୍କ ଓ ପ୍ରଶିକ୍ଷିତ ନର୍ସଙ୍କ ଆବଶ୍ୟକତା ରହିଛି। ସେହିପରି ଭୀମ ଭୋଇ ମେଡିକାଲ କଲେଜରେ ଏକ୍ସରେ, ସିଟି ସ୍କେନ୍, ରକ୍ତ ପରୀକ୍ଷା, ଡାୟାଲିସିସ୍ ଆଦି ସୁବିଧା ୨୪ ଘଣ୍ଟ ଉପଲବ୍ଧ ରହିବା, ବୃଦ୍ଧ ଓ ଶଯ୍ୟାଶାୟୀ ରୋଗୀଙ୍କ ପାଇଁ ତାଙ୍କ ଘରେ ହିଁ କୋଭିଡ ଟେଷ୍ଟର ସୁବିଧା କରାଯିବା, ପ୍ରତିଦିନ ସହରର ସବୁ ୱାର୍ଡକୁ ସାନିଟାଇଜ କରାଯିବା, ମାସ୍କ ଓ ସାମାଜିକ ଦୂରତା ରକ୍ଷା କରୁନଥିବା ବ୍ୟକ୍ତିଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଏବଂ କୋଭିଡ ନିୟମାବଳୀ ଉପରେ ଜନସାଧାରଣଙ୍କୁ ବାରମ୍ବାର ସଚେତନ କରାଯାଉ ବୋଲି ଏକ ୮ ଦଫା ସମ୍ମିଳିତ ଦାବିପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀଙ୍କୁ ପ୍ରଦାନ କରାଯାଇଛି।

କୋଭିଡ ନିୟନ୍ତ୍ରଣ କମିଟିର ଆବାହକ ତ୍ରିପୁରାରୀ ପାଣୀଗ୍ରହୀଙ୍କ ନେତୃତ୍ୱରେ କମିଟିର ସଦସ୍ୟମାନେ ବିଭିନ୍ନ ପ୍ଲା-କାର୍ଡ ଧରି ଏକ ସଚେତନତା ରାଲିରେ ସ୍ଥାନୀୟ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ କୋଭିଡ ସଚେତନତା ପାଇଁ ବିଭିନ୍ନ ନାରାବାଜି କରିଥିଲେ। ପରେ ଏହି ଦଳ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳଙ୍କୁ ଦେଖାକରି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହ ଅତିରିକ୍ତ ଜିଲ୍ଲାପାଳଙ୍କୁ ୮ ଦଫା ସମ୍ମିଳିତ ଦାବିପତ୍ର ପ୍ରଦାନ କରିଛନ୍ତି।