ଏଣିକି କଥା ହେଲେ ଟଙ୍କା ଦେବ ବିଏସଏନଏଲ

୫ ମିନିଟ୬ ପଇସା, ଜିଓକୁ ମିଳିପାରେ ଟକ୍କର

ନୂଆଦିଲ୍ଲୀ, ଏଜେନ୍ସି: ଦୂରସଞ୍ଚାର କ୍ଷେତ୍ରର ପ୍ରମୁଖ ରାଷ୍ଟ୍ରାୟତ୍ତ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସଏନଏଲ) ବିତ୍ତୀୟ ସମସ୍ୟା ଦେଇ ଗତି କରୁଥିବାବେଳେ ଏହାର ବନ୍ଦ ହୋଇଯିବା ଖବର ସାମନାକୁ ଆସୁଥିଲା। ମାତ୍ର କମ୍ପାନୀଟିକୁ ବଞ୍ଚାଇବାକୁ ଯାଇ କେନ୍ଦ୍ର ସରକାରଙ୍କ ତରଫରୁ ବିତ୍ତୀୟ ପ୍ୟାକେଜ୍ ଘୋଷଣା କରାଯିବା ପରେ ସତେ ଯେମିତି ବିଏସଏନଏଲକୁ ଏନର୍ଜି ମିଳିଯାଇଛି। ଯାହାଫଳରେ ନିକଟରେ କେତେକ ରାଜ୍ୟରେ କମ୍ପାନୀ ଏହାର ୪ଜି ସେବା ଶୁଭାରମ୍ଭ କରିବା ସହିତ ବର୍ତ୍ତମାନ ଏକ ନୂତନ ତଥା ସ୍ୱତନ୍ତ୍ର ଅଫର୍ ବଜାରକୁ ଛାଡ଼ିଛି। ଯାହାଫଳରେ ବିଏସଏନଏଲକୁ ନା’ କହିବା ଲୋକଙ୍କ ପକ୍ଷେ କଷ୍ଟକର ସାବ୍ୟସ୍ତ ହେବ। ଏହା ଅନ୍ତର୍ଗତ ଗ୍ରାହକମାନେ ଫୋନରେ କଥା ହେଲେ କମ୍ପାନୀ ତରଫରୁ ଟଙ୍କା ଦିଆଯିବ। ଅର୍ଥାତ୍ ପ୍ରତି ୫ ମିନିଟର ଭଏସ୍ କଲ୍ ଉପରେ କମ୍ପାନୀ ପକ୍ଷରୁ ୬ ପଇସା ଲେଖାଏଁ ପ୍ରଦାନ କରାଯିବ। ବର୍ତ୍ତମାନର ପ୍ରତିଦ୍ୱନ୍ଦ୍ୱିତା ମୂଳକ ବଜାର ସହିତ ମୁହାଁମୁହିଁ ହେବା ଲାଗି ପ୍ରଥମଥର ପାଇଁ କମ୍ପାନୀ ତରଫରୁ ଏଭଳି ଏକ ଅଭିନବ ପଦକ୍ଷେପ ନିଆଯାଇଛି। ବିଏସଏନଏଲର ୱାୟାରଲାଇନ୍୍ ବା ଟେଲିଫୋନ୍ ଗ୍ରାହକଙ୍କ ସମେତ ବ୍ରଡବ୍ୟାଣ୍ଡ୍ ଏବଂ ଏଫଟିଟିଏଚ୍ (ଫାଇବର୍ ଟୁ ଦି ହୋମ୍) ଗ୍ରାହକମାନେ ହିଁ ଏହି ସେବାର ଫାଇଦା ଉଠାଇପାରିବେ। କ୍ୟାଶବ୍ୟାକ୍ ଆକାରରେ ଏହି ଟଙ୍କା ଗ୍ରାହକମାନଙ୍କ ଆକାଉଣ୍ଟରେ କ୍ରେଡିଟ୍ ହୋଇଯିବ ବୋଲି କମ୍ପାନୀ ତରଫରୁ ଉଲ୍ଲେଖ କରାଯାଇଛି।

ବର୍ତ୍ତମାନ ସମୟରେ ଦୂରସଞ୍ଚାର ବଜାରରେ ରାଜ୍ କରୁଥିବା ପ୍ରମୁଖ କମ୍ପାନୀ ରିଲାଏନ୍ସ ଜିଓ ଆଇୟୁସି ଚାର୍ଜ ରୂପେ ଅନ୍ୟ ନେଟୱର୍କ ସହ କଥା ହେଲେ ୧ ମିନିଟ୍ ପିଛା ୬ ପଇସା ଲେଖାଏଁ ଆଦାୟ କରିବ ବୋଲି ଘୋଷଣା କରିଥିଲା। ଏଭଳି ସମୟରେ ବିଏସଏନଏଲର ଏହି ଅଫର୍ ଗ୍ରାହକମାନଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବ ବୋଲି ଅନୁମାନ କରାଯାଉଛି। ଯାହା କମ୍ପାନୀକୁ ନିଜ ଗ୍ରାହକଙ୍କ ସଂଖ୍ୟାକୁ ବଢ଼ାଇବାରେ ବେଶ୍ ସହାୟକ ହେବ ଏବଂ ଏହାଦ୍ୱାରା ଜିଓକୁ ଟକ୍କର ମିଳିବାର ସମ୍ଭାବନା ରହିଛି। ଡିଜିଟାଲ୍ ଅଭିଜ୍ଞତା କ୍ଷେତ୍ରରେ ଗ୍ରାହକମାନେ ଭଏସ୍ ଏବଂ ଡାଟା ପାଇଁ ଉନ୍ନତମାନର ସେବା ଆବଶ୍ୟକ କରୁଛନ୍ତି। ତେଣୁ ଗ୍ରାହକଙ୍କୁ ଆମର ଉନ୍ନତ ଏବଂ ପରବର୍ତ୍ତୀ ପିଢ଼ିର ନେଟୱର୍କ ସମେତ ଟେଲିଫୋନରେ ଉନ୍ନତମାନର ଭଏସକଲ୍ ଉପଲବ୍ଧ କରିବା ଲାଗି ପ୍ରୟାସ କରାଯାଉଛି ବୋଲି ବିଏସଏନଏଲର ନିର୍ଦ୍ଦେଶକ ସିଏଫଏ ବିବେକ ବଞ୍ଜଲ୍ କହିଛନ୍ତି। ଏଥିସହିତ ଗ୍ରାହକଙ୍କୁ ଏକ ସୁନ୍ଦର ଅନୁଭବ ଉପଲବ୍ଧ କରାଇବା ଲାଗି ଆଗକୁ ଆହୁରି ଆକର୍ଷଣୀୟ ଅଫର୍ ସମ୍ବନ୍ଧରେ ଘୋଷଣା କରାଯିବ ବୋଲି ମଧ୍ୟ କମ୍ପାନୀ ତରଫରୁ କୁହାଯାଇଛି। ଅପରପକ୍ଷେ ଦିଲ୍ଲୀ ଏବଂ ମୁମ୍ବାଇରେ ବିଏସଏନଏସଲ୍ ଏହାର ସେବା ଯୋଗାଉନାହିଁ। ମାତ୍ର ବିଏସଏନଏଲ ଓ ଏମଟିଏନଏଲର ମିଶ୍ରଣକୁ ସରକାର ମଞ୍ଜୁରୀ ଦେବା ପରେ ଏହି ଦୁଇଟି ସର୍କଲର ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ବିଏସଏନଏଲ ଏଠାରେ ଏମଟିଏନଏଲର ଗ୍ରାହକଙ୍କ ପାଇଁ ନିଃଶୁଳ୍କ କଲ୍ ବ୍ୟବସ୍ଥା ସମ୍ବନ୍ଧରେ ଘୋଷଣା କରିଛି। ଏଥିରେ ୪୨୯, ୪୮୫ ଏବଂ ୬୬୬ ଟଙ୍କାର ତିନିଟି ପ୍ଲାନ୍ ସାମିଲ ଅଛି।