ଭୁବନେଶ୍ୱର, ଏନ୍ଏନ୍ଏସ୍ : ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଓସେପା (ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ) କାର୍ଯ୍ୟାଳୟର କାର୍ଯ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏଠାରେ ନିଯୁକ୍ତ କଣ୍ଟ୍ରାକଚୁଆଲ୍ କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ବେତନ ସହ ଘର ଭଡ଼ା ମଧ୍ୟ ଦିଆଯାଉଛି। ଏହା ସାଙ୍ଗକୁ ବିଭିନ୍ନ ସମୟରେ ବର୍ଦ୍ଧିତ ଦରମା ମଧ୍ୟ ଦିଆଯାଉଛି। ଯଦି ଏହି ସଂସ୍ଥାରେ ଅସ୍ଥାୟୀ କର୍ମଚାରୀଙ୍କୁ ଏଭଳି ସୁବିଧା ସୁଯୋଗ ମିଳୁଛି ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ନିଯୁକ୍ତ ଅସ୍ଥାୟୀ କର୍ମଚାରୀଙ୍କୁ କାହିଁକି ଅଣଦେଖା କରାଯାଉଛି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଓସେପାରେ ଏଭଳି ମନ ମୁଖି ଖର୍ଚ୍ଚ ଲାଗି ଅର୍ଥ ବିଭାଗର ମଞ୍ଜୁର ମଧ୍ୟ ନାହିଁ। ଯାହାକୁ ଅଡିଟ୍ ବହୁବାର ପ୍ରତିବାଦ ଅଭିଯୋଗ କରିଥିଲେ ହେଁ ମନମୁଖି କାର୍ଯ୍ୟ ବଢ଼ିଚାଲିଛି। ବିଶେଷକରି ଓସେପା କାର୍ଯ୍ୟାଳୟରେ ଥିବା ଆରଟିଇ ସେଲ୍ ସମ୍ପୂର୍ଣ୍ଣ ପଙ୍ଗୁ ପାଲଟିଯାଇଛି। ଯାହାକୁ ନେଇ ଶିକ୍ଷାବିତମାନେ ଅଭିଯୋଗ ଉଠାଇଛନ୍ତି। ସେହିପରି କ୍ୟାଡର ପୋଷ୍ଟରେ ନଥାଇ ମଧ୍ୟ କିଛି ପ୍ରୋଜେକ୍ଟ କର୍ମଚାରୀ ଭାବେ ନିଯୁକ୍ତି ପାଇଥିବା ବ୍ୟକ୍ତିଙ୍କୁ ପଦନ୍ନତି ଦିଆଯାଇଛି। ସରକାରଙ୍କ ନିୟମ ଅନୁଯାୟୀ, ସରକାରୀ କାର୍ଯ୍ୟାଳୟରେ ଯେଉଁମାନେ ଡେପୁଟେସନରେ ଆସିଥା’ନ୍ତି ସେହି କର୍ମଚାରୀଙ୍କୁ କ୍ୟାଡର ପୋଷ୍ଟରେ ନିଯୁକ୍ତି ମିଳିଥାଏ।
ଏହି ସରକାରୀ କର୍ମଚାରୀଙ୍କ ଲାଗି କେବଳ ପଦୋନ୍ନତିର ବ୍ୟବସ୍ଥା ହୋଇଥାଏ। ମାତ୍ର କୌଣସି ପ୍ରକଳ୍ପରେ ନିଯୁକ୍ତ ପାଇଥିବା କର୍ମଚାରୀଙ୍କୁ ପଦୋନ୍ନତି ଦିଆଯାଇନଥାଏ। ମାତ୍ର ଓସେପାରେ ଜଣେ ବ୍ୟକ୍ତି ପ୍ରକଳ୍ପରେ ନିଯୁକ୍ତ ପାଇଥିବା ବେଳେ ତାଙ୍କୁ କ୍ୟାଡର ପୋଷ୍ଟ ଭଳି ସୁବିଧା ସୁଯୋଗ ଏବଂ ପଦୋନ୍ନତି ମିଳିଛି। ଏପରିକି ଯେଉଁ ପଦବୀରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ନିଯୁକ୍ତ କରାଯାଇଛି ସେହି ପଦବୀ ଲାଗି ଶିକ୍ଷାଗତ ଯୋଗ୍ୟତା ମଧ୍ୟ ତାଙ୍କର ନାହିଁ ବୋଲି ଅଭିଯୋଗ ହେଉଛି। ଏପରି ଅବ୍ୟପସ୍ଥାକୁ ଆଜି ଅଡିଟିରେ ପ୍ରଶ୍ନ କରାଯାଇ ଅବଜେକସନ କରାଯାଇଥିଲେ ହେଁ ଏଜିଙ୍କ ଅଭିଯୋଗକୁ ରଫାଦଫା କରିବାକୁ ଯୋଜନା କରାଯାଇଛି। ଯାହାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି। ଗଣଶିକ୍ଷା ବିଭାଗର ଜଣେ ଅଧିକାରୀଙ୍କ ଅଭିଯୋଗ ଅନୁଯାୟୀ, ରାଜ୍ୟରେ ଶିକ୍ଷା ଅଧିକାର ଆଇନ୍ ପ୍ରଣୟନ ହେବା ପରେ ୬ ରୁ ୧୪ବର୍ଷ ବୟସର ପିଲାଙ୍କ ଲାଗି ଅନେକ ଯୋଜନା କାର୍ଯ୍ୟକାରୀ ହୋଇଛି। ବିଶେଷକରି ଶିକ୍ଷା ଅଧିକାର ଆଇନ୍ ବା ରାଇଟ୍ ଟୁ ଏଜୁକେସନ୍ ମାଧ୍ୟମରେ ପିଲାଙ୍କୁ ଶିକ୍ଷା କ୍ଷେତ୍ରରେ କିପରି ଅଧିକାର ମିଳୁଛି ଏବଂ ସ୍କୁଲ ଗୁଡ଼ିକର ଭିତ୍ତିଭୂମି ଠାରୁ ଆରମ୍ଭ କରି ବିଭିନ୍ନ ମୌଳିକ ଅଧିକାର ପ୍ରଦାନ ହେଉଛି ସେ ଦିଗରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ତେବେ ଆରଟିଇ ବ୍ୟବସ୍ଥା ରହିଥିଲେ ହେଁ ରାଜ୍ୟରେ ଅନେକ ଘରୋଇ ସ୍କୁଲ ବିନା ସ୍ୱୀକୃତି ଚାଲିଛି। ଯାହାକୁ ନେଇ ସମସ୍ୟା ଲାଗି ରହିଛି। ତେବେ ଓସେପା କାର୍ଯ୍ୟାଳୟରେ ଆରଟିଇ ସେଲ୍ ଥିଲେ ହେଁ ତାହା ନଥିବା ସହିତ ସମାନ। ଏହି ସେଲରେ କେଉଁ ଅଧିକାରୀଙ୍କୁ ବିଧିବଦ୍ଧ ଭାବେ ନିଯୁକ୍ତ କରାଯାଇ ନାହିଁ। ଯେଉଁ ଅଧିକାରୀ ସେହି ସେଲରେ କାର୍ଯ୍ୟ କରୁଛନ୍ତି ସେ କେବଳ କାମଚଳା ଅଧିକାରୀ ବୋଲି ଚର୍ଚ୍ଚା ହେଉଛି। ଓସେପାରେ କିଛି ଅଧିକାରୀଙ୍କ କାର୍ଯ୍ୟ ଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରାଜ୍ୟରେ ଅନେକ ଘରୋଇ ସ୍କୁଲ ବିନା ସ୍ୱୀକୃତିରେ ଚାଲୁଥିଲେ ହେଁ ଆରଟିଇ ସେଲରେ ନିଯୁକ୍ତ ହୋଇଥିବା ଅଧିକାରୀ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି। ଆରଟିଇ ଅନୁଯାୟୀ ସ୍କୁଲ ଗୁଡ଼ିକରେ କେଉଁ ସବୁ ସୁବିଧା ବ୍ୟବସ୍ଥା ରହିବା ବାଧ୍ୟତାମୂଳକ ଉଲ୍ଲେଖ ଥିବା ବେଳେ ଯଦି ସ୍କୁଲଗୁଡ଼ିକ ଆରଟିଇ ନିୟମକୁ ଅବମାନନା କରନ୍ତି ତେବେ କେଉଁ ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାହା ସ୍ପଷ୍ଟ ହୋଇନାହିଁ। ଓସେପା କାର୍ଯ୍ୟାଳୟରେ ଆରଟିଇ ସେଲ୍ ଏକପ୍ରକାର ପଙ୍ଗୁ ପାଲଟିଯାଇଛି।
କଣ୍ଟ୍ରାକଚୁଆଲ୍ କର୍ମଚାରୀଙ୍କୁ ମିଳୁଛି ରେଗୁଲାର ବେତନ ସହ ଘର ଭଡ଼ା
ଅର୍ଥ ବିଭାଗର ମଞ୍ଜୁର ନାହିଁ, ଅଡିଟର ଅଭିଯୋଗକୁ ବେଖାତିର