ସ୍କୁଲ ଯିବାପାଇଁ ଗାଁର ସବୁ ଝିଅଙ୍କୁ ସାଇକେଲ ଦେଲେ ସୋନୁ ସୁଦ୍

ନୂଆଦିଲ୍ଲୀ, ଏଜେନ୍ସି: ଲକଡାଉନ ସମୟରେ ପ୍ରବାସୀମାନଙ୍କ ଭଗବାନ ସାଜିଥିବା ଅଭିନେତା ସୋନୁ ସୁଦ୍ ପୁଣି ମହାନତା ଦେଖାଇଛନ୍ତି। ଉତ୍ତରପ୍ରଦେଶର ଗୋଟିଏ ଗାଁର ସବୁ ଝିଅଙ୍କୁ ସ୍କୁଲ ଯିବା ଆସିବା ପାଇଁ ସାଇକେଲ ଦେଇଛନ୍ତି । ପ୍ରକାଶ ଯେ, ସନ୍ତୋଷ ଚୌହାନ ନାମକ ଜଣେ ବ୍ୟକ୍ତି ସୋନୁ ସୁଦଙ୍କୁ ଟ୍ୱିଟରରେ ସାହାଯ୍ୟ ମାଗିଥିଲେ । ସେ କହିଥିଲେ ଉତ୍ତରପ୍ରଦେଶର ମିର୍ଜାପୁର ଏବଂ ସୋନଭଦ୍ର ଜିଲ୍ଲାର ହଜାର ହଜାର ଛାତ୍ରୀ ପଞ୍ଚମ ଶ୍ରେଣୀରୁ ପାଠପଢା ଛାଡି ଦେଉଛନ୍ତି । ‘ଏକ ଗାଁରେ ୩୫ ଜଣ ଝିଅ ଅଛନ୍ତି, ଯେଉଁମାନେ ପାଠପଢିବା ପାଇଁ ଜଙ୍ଗଲ ରାସ୍ତା ଦେଇ ୧୫ କିଲୋମିଟର ଦୂର ଯାଇତାନ୍ତି। କେବଳ ଅଳ୍ପ କେତେଜଣଙ୍କ ପାଖରେ ସାଇକେଲ ଅଛି । ଏହା ବ୍ୟତୀତ ମିର୍ଜାପୁର ଓ ସୋନଭଦ୍ର ହେଉଛି ନକ୍ସଲ ପ୍ରଭାବିତ ଅଞ୍ଚଳ । ଭୟ ହେତୁ ସେହି ଝିଅମାନଙ୍କୁ ପରିବାରଲୋକେ ଅଧିକ ଅଧ୍ୟୟନ କରିବାକୁ ଦେଉନାହାନ୍ତି । ଯଦି ଆପଣ ସେମାନଙ୍କୁ ସାଇକେଲ ଖଣ୍ଡେ ଦେଇପାରିବେ, ତେବେ ସେମାନଙ୍କର ଭବିଷ୍ୟତ ଉଜ୍ଜ୍ୱଳ ହୋଇପାରିବ’ ।

ସନ୍ତୋଷଙ୍କର ଏହି ନିବେଦନ ପରେ ସୋନୁ ସୁଦ୍ ଗାଁର ପ୍ରତ୍ୟେକ ଝିଅଙ୍କୁ ସାଇକେଲ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସୋନୁ ସୁଦ ଟୁଇଟ୍ କରି ଲେଖିଥିଲେ ‘ଗାଁର ପ୍ରତ୍ୟେକ ଝିଅ ସାଇକେଲ ପାଇବେ ଏବଂ ପ୍ରତ୍ୟେକ ଝିଅ ପାଠ ପଢିବେ । ତାଙ୍କ ପରିବାର ଲୋକଙ୍କୁ ଜଣାଇ ଦିଅନ୍ତୁ ଯେ ସାଇକେଲ ପହଞ୍ଚୁଛି’।