ପ୍ରୋଫେଟ ମହମ୍ମଦଙ୍କ ଜନ୍ମଦିନରେ କେସିଙ୍ଗା ମୁସଲମାନ ସମାଜ ତରଫରୁ ଭାଇଚାରା ଓ ଶାନ୍ତିର ବାର୍ତ୍ତା

କେସିଙ୍ଗା,ଏନ୍‌ଏନ୍‌ଏସ୍‌: କଳାହାଣ୍ଡି ଜିଲ୍ଲା କେସିଙ୍ଗା ମୁସଲମାନ ସମାଜ ତରଫରୁ ପ୍ରୋଫେଟ ନବି ମହମ୍ମଦଙ୍କ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଥମେ ମୁସଲମାନ ସମ୍ପ୍ରଦାୟର ଲୋକମାନେ ୱାର୍ଡ ନଂ ୧୨ସ୍ଥିତ ମସଜିଦରେ ଏକତ୍ରିତ ହୋଇ ଏକ ବିରାଟ ଶୋଭାଯାତ୍ରାରେ କେସିଙ୍ଗା ସହର ପରିକ୍ରମା କରି ଆମ୍ବେଦକର ଛକ ପର୍ଯ୍ୟନ୍ତ ଯାଇଥିଲେ ଏବଂ କେସିଙ୍ଗା ସହରରେ ଥିବା ବିଭିନ୍ନ ମହାପୁରୁଷଙ୍କୁ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି ଶୋଭାଯାତ୍ରାରେ ପ୍ରୋଫେଟ ମହମ୍ମଦଙ୍କ ଈଶ୍ୱରୀ ବାଣୀ ସହ ଭାରତ ମାତାକୀ ଜୟ ହିନ୍ଦୁ ମୁସଲିମ ଭାଇ ସ୍ଲୋଗାନ ଦେଉଥିବା ଦେଖିବାକୁ ମିଳିଛି । ଏହି କାର୍ଯ୍ୟକ୍ରମରେ କେସିଙ୍ଗା ମୁସଲମାନ ସମାଜର ସଭାପତି ଜାକିର ହୁସେନ, ଡା. ଏହେସାନ ଖାନ, ଅନ୍ୱର ହୁସେନ, ଛୋଟୁ ଖାନ, ମହମ୍ମଦ ଆଗାଜାନ, ବଳରାମ ସୁନା ମହମ୍ମଦ ଆକ୍ରମ, ମହମ୍ମଦ ଅୟୁବ, କିଶୋର ନାୟକ ଓ ମଣ୍ଟୁ ଖାନ ପ୍ରମୁଖଙ୍କ ସହ ବହୁ ସଂଖ୍ୟାରେ ମୁସଲମାନ ସମାଜର ଲୋକମାନେ ସାମିଲ ହୋଇ ସହରରେ ମିଷ୍ଟାନ୍ନ ବଣ୍ଟନ କରି ଭାଇଚାରାର ବାର୍ତ୍ତା ଦେଇଥିଲେ ।