କୃଷି ଉତ୍ପାଦନ କ୍ଷେତ୍ର ପ୍ରକଳ୍ପର ବାର୍ଷିକ ଅଧିବେଶନ

ମୁନିଗୁଡ଼ା,ଏନ୍‌ଏନ୍‌ଏସ୍‌: ମୁନିଗୁଡ଼ା ବ୍ଲକ ସୀମାନ୍ତ ଡୁମେରୁମୁଣ୍ଡା ଗାଁରେ ସ୍ଥାନୀୟ ମା’ ଡୁକୁରୀଗୁଡ଼ି ମହିଳା ଫାରମ ପ୍ରଡ୍ୟୁସର୍ କମ୍ପାନୀ ଲିମିଟେଡର ବାର୍ଷିକ ଅଧିବେଶନ ଓ ଆଗାମୀ ଯୋଜନା ସମ୍ବନ୍ଧିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କମ୍ପାନୀର ଚେୟାରମ୍ୟାନ ସୁନୀତା ପାତ୍ର, ଡାୟରେକ୍ଟର ଦମୟନ୍ତି ସାହୁ, କମଳା ମାଝୀ ଓ ସିଇଓ ଜୟଶ୍ରୀ ମହାନ୍ତି ଉପସ୍ଥିତ ରହି କମ୍ପାନୀର ବିଗତ ବର୍ଷ ୨୦୨୨/୨୦୨୩ ଆର୍ଥିକ ଅଡିଟ ରିପୋର୍ଟକୁ ସର୍ବସମ୍ମୁଖରେ ଉପସ୍ଥାପନ କରିଥିଲେ । ସମସ୍ତ ଅଂଶଧନ ନିବେଶକାରୀଙ୍କ ମଧ୍ୟରେ ମୋଟ ୩୩୪ଜଣ ସଦସ୍ୟ ଆଜିକାର ଅଧିବେଶନରେ ଉପସ୍ଥିତ ଥିଲେ । ଅଂଶଧନ ନିବେଶକାରୀ, ସ୍ୱୟଂ ସହାୟକ ଦଳ ପ୍ରମୁଖ ଉତ୍ପାଦକ ଓ ଗୋଷ୍ଠୀ ସଦସ୍ୟଙ୍କୁ ସମ୍ବୋଧିତ କରି କିଭଳି ମହିଳାଙ୍କ ଆୟ ଦ୍ୱିଗୁଣିତ ହେବ ଏବଂ ପ୍ରତ୍ୟେକ ଅଂଶଧନ ନିବେଶକାରୀ କମ୍ପାନୀର ସହାୟତା ସମସ୍ତ ମହିଳା ପାଇପାରିବେ ବୋଲି ପରାମର୍ଶ ଦେଇଥିଲେ । ଏହାସହ ନିଜ ଗ୍ରାମରେ ବଜାର ବ୍ୟବସ୍ଥା କିପରି ପାଇବେ ସେବିଷୟରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଉକ୍ତ ସଭାରେ ମୁଖ୍ୟଅତିଥି ଭାବରେ ଆୟଶକାନ୍ତ ବେହେରା ଓ ସମ୍ମାନିତ ଅତିଥିଭାବେ ଯୋଗେଶ୍ୱର ଶବର ମିଶନ ଶକ୍ତି ବିଭାଗ ତରଫରୁ ଯୋଗ ଦେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥିଭାବେ ଉଦ୍ୟାନ କୃଷି ବିଭାଗର ଟିକୁନ ସାହୁ ଯୋଗଦେଇ ମହିଳା ଚାଷୀଙ୍କ ନିମନ୍ତେ ବିଭାଗ ତରଫରୁ ଥିବା ଯୋଜନା ଓ ସହାୟତାକୁ ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମରେ ସଭାପତିତ୍ୱ କରୁଥିବା ଜନ ସାହାଯ୍ୟ ଅନୁଷ୍ଠାନ ସମ୍ପାଦିକା ସୀତା ଦେବୀ, କମ୍ପାନୀ ଉତ୍ପାଦକ ଗୋଷ୍ଠୀର ଉନ୍ନତି ଉଦ୍ଦେଶ୍ୟରେ ଉଦବୋଧନ ଦେବାସହ ସଭିଙ୍କ ସହଯୋଗ, କାର୍ଯ୍ୟରେ ନିଷ୍ଠା ଓ ସମର୍ପିତ ଭାବନା ରହିଲେ କମ୍ପାନୀର ଲକ୍ଷ ଓ ମହିଳାଙ୍କ ଆୟ ନିଶ୍ଚିତ ଦ୍ୱିଗୁଣିତ ହୋଇପାରିବା ନେଇ ଆଶାବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜନ ସାହାଯ୍ୟ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ଦେବାଶିଷ ପଣ୍ଡା, ସତ୍ୟ ନାରାୟଣ ଦାଶ, ଜଗନ୍ନାଥ ହର୍ପାଲ, ପ୍ରମୋଦ ବିର୍ଭା, ଗିରିଧାରୀ ଚଣ୍ଡି, ଦୀନବନ୍ଧୁ ଚଣ୍ଡି, ରାଜାସ୍ ହରିଜନ, ତରୁଣ ପ୍ରଧାନୀ ଓ ଅକ୍ଷୟ ନାୟକ ପ୍ରମୁଖ ଉପସ୍ଥିତ ରହିବା ସହ କାର୍ଯ୍ୟକ୍ରମ ପରିଚାଳନାରେ ସମସ୍ତ ସହଯୋଗ କରିଥିଲେ ।