ଜମି ବିବାଦକୁ ନେଇ ଭାଇକୁ ହତ୍ୟା କଲା ଭାଇ

ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ଥାନା ବଡ଼ମାଳ ଫାଣ୍ଡି ଅଧୀନ ବଡ଼ମାଳ ଗ୍ରାମରେ ଭାଇକୁ ନିଜ ଭାଇ ହତ୍ୟା କରିବା ଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଖବର ପାଇ ସଇଁନ୍ତଳା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।

ମିଳିଥିବା ରିପୋର୍ଟ ମୁତାବିକ, ବଡ଼ମାଳ ଗ୍ରାମରେ ଜମିବାଡ଼ିକୁ ନେଇ ଗୋଟିଏ ପରିବାରର ୨ ଭାଇଙ୍କ ମଧ୍ୟରେ ଦୀର୍ଘ ଦିନରୁ କଳହ ଲାଗି ରହିଥିଲା। ୨ ଭାଇ ହେଲେ ଟିକେଚନ ଭୋଇ ଓ ଦେବରାଜ ଭୋଇ। ଟିକେଚନ ଦେବରାଜକୁ ବାଡ଼ିରେ ନିର୍ଧୁମ ଭାବରେ ମାଡ଼ ମାରିବା ସହ ବେକରେ ଗାମୁଛା ଭିଡ଼ି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ଖବର ପାଇ ସଇଁନ୍ତଳା ଥାନାଧିକାରୀ ସଂଗ୍ରାମ କିଶୋରୀ ପଟ୍ଟନାୟକ, ବଡ଼ମାଳ ଫାଣ୍ଡି ପୁଲିସ, ବଲାଙ୍ଗିର ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ଟିକେଚନକୁ ପୁଲିସ ଅଟକ ରଖି ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।