ଦେବଗଡ଼,ଏନ୍ଏନ୍ଏସ୍: ବାରକୋଟ ଥାନା ଆନ୍ତର୍ଗତ ଦୁର୍ଗମ ଅଞ୍ଚଳ ମହୁପାଳ ଗ୍ରାମରେ ଗତକାଲି ରାତିରେ ଜଣେ ମହିଳାଙ୍କୁ ଉକ୍ତ ଗ୍ରାମର ଜଣେ ଯୁବକ ଛୁରା ମାଡ଼ କରିଥିବା ଜଣାପଡିଛି। ଛୁରା ମାଡ଼ରେ ମହିଳାଙ୍କ ପେଟ ଓ ବେକରେ ଗୁରୁତର ଆଘାତ ଲାଗିଥିବା ବେଳେ ଗୁରୁତର ମହିଳା ଚିକିତ୍ସା ପାଇଁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି।
ମିଳିଥିବା ସୂଚନା ଅନୁଯାୟୀ ମହୁପାଳ ଗ୍ରାମର ଯାତ୍ରା ସଂଢ଼ିଆଙ୍କ ସ୍ତ୍ରୀ ସନ୍ଧ୍ୟା ସଂଢ଼ିଆ ଗତକାଲି ରାତିରେ ଖିଆପିଆ ସାରି ନିଜଘରେ ଶୋଇଥିବା ବେଳେ ଉକ୍ତ ଗ୍ରାମର ସଞ୍ଜୟ ସଂଢ଼ିଆ ରାତି ପ୍ରାୟ ଗୋଟାଏ ବେଳେ ତାଙ୍କ ଘରେ ପଶି ସନ୍ଧ୍ୟାଙ୍କୁ ଏକ ଛୁରୀରେ ଆକ୍ରମଣ କରିଥିଲେ।
ଫଳରେ ସନ୍ଧ୍ୟାଙ୍କ ବେକ ଓ ପେଟରେ ଗଭୀର କ୍ଷତ ସୃଷ୍ଟି ହେବାସହ ସେ ଚିତ୍କାର କରିବାରୁ ସନ୍ଧ୍ୟାଙ୍କ ଶ୍ୱଶୁର ରାଜ ସଂଢ଼ିଆ ନିଦରୁ ଉଠି ଦୌଡ଼ି ଯାଇ ଦେଖିବା ବେଳେ ସଞ୍ଜୟ ହାତରେ ଛୁରୀ ଧରି ଦୌଡ଼ି ପଳାଇ ଥିବା ବେଳେ ବୋହୁ ରକ୍ତାକ୍ତ ଅବସ୍ଥାରେ ଛଟପଟ ହେଉଥିଲା। ଏହା ଦେଖି ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ ଗୁରୁତର ସନ୍ଧ୍ୟାଙ୍କୁ ପ୍ରଥମେ ବାରକୋଟ ଓ ପରେ ଦେବଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ ଅଧିକ ଚିକିତ୍ସା ପାଇଁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ।
ଏନେଇ ଗୁରୁତର ସନ୍ଧ୍ୟାଙ୍କ ଶ୍ୱଶୁର ରାଜ ବାରକୋଟ ଥାନାରେ ଲିଖିତ ଅଭିଯୋଗ କରିବା ପରେ ବାରକୋଟ ଥାନା ପୁଲିସ ଏକ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ସଞ୍ଜୟକୁ ଗିରଫ କରି ଅଧିକ ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ଅଭିଯୁକ୍ତ ସଞ୍ଜୟ ନିଜ ସମ୍ପର୍କୀୟ ଭାଉଜ ସହ ଗତ ଦୁଇବର୍ଷ ଧରି ପ୍ରେମ କରି ଆସୁଥିବା ଏବଂ ଉଭୟଙ୍କ ମଧ୍ୟରେ ସମ୍ପର୍କ ଥିବାପ୍ରକାଶ କରିବା ସହ ଅଭିଯୁକ୍ତ ସଞ୍ଜୟଙ୍କ ଠାରୁ ତାଙ୍କ ଭାଉଜ ଟଙ୍କା ଓ ମୋବାଇଲ ଆଦି ଉପହାର ନେଇଥିବା ବେଳେ ଶାରୀରିକ ସମ୍ପର୍କ ସ୍ଥାପନ ପାଇଁ ରାଜି ନହେବାରୁ ଉତ୍ୟକ୍ତ ହୋଈ ସେ ଏ ଭଳି କାଣ୍ଡ କରିଥିବା ପ୍ରକାଶ କରିଛି।