ଦେବଗଡ଼,ଏନ୍ଏନ୍ଏସ୍: ପଞ୍ଚାୟତ ଗୋଦାମରୁ ଚାଉଳ ହେରଫେର ଉଦ୍ୟମ କରୁଥିବା ବେଳେ ଗ୍ରାମବାସୀଙ୍କ ହାତରେ ଧରା ପଡ଼ିବା ଘଟଣାରେ ଦଣ୍ଡାସିଂହା ଗ୍ରାମ ପଞ୍ଚାୟତ ପିଇଓ ନୀଳକଣ୍ଠ ପ୍ରଧାନ ଓ ପୂର୍ବତନ ସରପଞ୍ଚ ଅମିତ କୁମାର ଦେହୁରୀଙ୍କୁ ବାରକୋଟ ଥାନା ପୁଲିସ ଗିରଫ କରିଛି । ଏହାସହ ଚାଉଳ ଭର୍ତ୍ତି ଟ୍ରାକ୍ଟରକୁ ଚୋରୀ, ସରକାରୀ ସମ୍ପତ୍ତି ଆତ୍ମସାତ ଓ ଅତ୍ୟାବଶ୍ୟକ ସାମଗ୍ରୀ ହେରଫେର ସମେତ ବିଭିନ୍ନ ଦଫାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ମିଳିଥିବା ରିପୋର୍ଟ ମୁତାବକ, ଦଣ୍ଡାସିଂହା ପଞ୍ଚାୟତ ଗୋଦାମ ଗୃହରୁ ଗତକାଲି ଅପରାହ୍ନରେ ପିଇଓ ନୀଳକଣ୍ଠ ପ୍ରଧାନ ଓ ପୂର୍ବତନ ସରପଞ୍ଚ ଅମିତ କୁମାର ଦେହୁରୀ ପଞ୍ଚାୟତ ଗୋଦାମରୁ ଚାଉଳ ବାହାର କରି ତାଙ୍କ ଟ୍ରାକ୍ଟରରେ ବୋଝେଇ କରି ନେବାକୁ ବାହାରୁ ଥିବାବେଳେ କେତେକ ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ । ଏହା ଦେଖି ପୂର୍ବତନ ସରପଞ୍ଚ ଶ୍ରୀ ଦେହୁରୀ ଟ୍ରାକ୍ଟର ଇଞ୍ଜିନ ନେଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ । ଏହି ଘଟଣା ପ୍ରଚାର ହେବା ପରେ ପଞ୍ଚାୟତ କାର୍ଯ୍ୟାଳୟ ଗୋଦାମ ଗୃହ ସମ୍ମୁଖରେ ଗ୍ରାମବାସୀ ହୋହାଲ୍ଲା କରିବା ସହ ଟ୍ରାକ୍ଟର ଡାଲାରେ ବୋଝେଇ ହୋଇଥିବା ପ୍ରାୟ ୮୦/୧୦୦ ବସ୍ତା ଚାଉଳ ଜବତ କରି ପିଇଓ ନୀଳକଣ୍ଠ ପ୍ରଧାନଙ୍କୁ ଅଟକ ରଖିଥିଲେ । ଏହାସହ ଏହି ଚାଉଳ ହେରଫେରରେ ପୂର୍ବତନ ସରପଞ୍ଚ ଅମିତ ଦେହୁରୀଙ୍କ ସମୃକ୍ତି ଥିବା ଅଭିଯୋଗ କରି ପଞ୍ଚାୟତ କାର୍ଯ୍ୟାଳୟକୁ ଘେରାଉ କରିଥିଲେ । ସୂଚନା ପାଇ ବାରକୋଟ ବ୍ଲକ ବିଡିଓ ଆକାଶ ସାହୁ ଓ ବାରକୋଟ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ଗ୍ରାମବାସୀମାନେ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଧାରଣାରେ ବସିଥିଲେ । ପରେ ବାରକୋଟ ଥାନାଧିକାରୀ କନକ ମାଝୀ ଓ ବିଡିଓ ଉତ୍ତ୍ୟକ୍ତ ଗ୍ରାମବାସୀଙ୍କୁ ବହୁ ବୁଝାସୁଝା ପରେ ବିଳମ୍ବିତ ରାତିରେ ଗ୍ରାମବାସୀମାନେ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ । ଏସମ୍ପର୍କରେ ପୂର୍ବତନ ସରପଞ୍ଚ ବିଜେପିର ଅମିତ ଦେହୁରୀଙ୍କ ମତାମତ ନେବାରୁ ବାଲିରୋଇ ଗ୍ରାମବାସୀଙ୍କ ୟୋମେଟ୍ରିକ୍ସ ନିଆଯାଇଥିଲେ ମଧ୍ୟ ସେମାନଙ୍କୁ ଚାଉଳ ଦିଆ ହୋଇପାରି ନଥିବାରୁ ସେମାନଙ୍କ ନିକଟକୁ ଚାଉଳ ପଠାଯାଉଥିବା ପ୍ରକାଶ କରିଥିଲେ । ତେବେ ବାରକୋଟ ବିଡିଓଙ୍କ ମତାମତ ପାଇଁ ଦୀର୍ଘ ସମୟ ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅପେକ୍ଷା କରିଥିଲେ ମଧ୍ୟ ସେ କାର୍ଯ୍ୟାଳୟକୁ ଆସି ନଥିଲେ କି ଫୋନ ମଧ୍ୟ ଉଠାଇ ନଥିଲେ । ଫଳରେ ଏହି ଘଟଣାରେ ବିଡିଓଙ୍କ ଭୂମିକା ସନ୍ଦେହ ଘେରରେ ରହିଛି ।