ଯୌତୁକ ଯୋଗୁ ବୋଧୂ ହତ୍ୟା

ବଲାଙ୍ଗିର,ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗଡ଼ଗଡ଼ବାହାଲ ଗାଁର ଠାକୁରମୁନି ମହାନନ୍ଦଙ୍କୁ ଶାଶୂ ଘର ଲୋକେ ପିଟି ପିଟି ମାରି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ, ଠାକୁରମୁନି ମହାନନ୍ଦ ବଙ୍ଗୋମୁଣ୍ଡା ବ୍ଲକ ଝରିଆଲ ପଂଚାୟତ ବୁଣଜିପଦର ଗାଁର ଦୀପ୍ତି ମହାନନ୍ଦଙ୍କୁ ବୈଦିକ ରୀତିନୀତି ଅନୁଯାୟୀ ବିବାହ କରିଥିଲେ । ବାହାଘର ସମୟରେ କନ୍ୟା ପକ୍ଷରୁ ଯଥା ଶକ୍ତି ସମସ୍ତ ସାମଗ୍ରୀ ଦିଆଯାଇ ଥିବାବେଳେ ଅନେକ ସମୟରେ ଅଧିକ ଯୌତୁକ ଆଣିବା ପାଇଁ ଶାଶୂ ଘର ଲୋକେ ଠାକୁରମୁନିକୁ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଛି । ଠାକୁରମୁନିକୁ ତାର ସ୍ଵାମୀ, ଦିଅର, ନଣନ୍ଦ ଓ ପରିବାର ଲୋକ ମିଶି ନିର୍ୟ୍ୟାତନା ଦେଉଥିବା ବେଳେ ୩ଟି କନ୍ୟା ସନ୍ତାନକୁ ଜନ୍ମ ଦେବା ତାଙ୍କୁ ମହଙ୍ଗା ପଡ଼ିଥିଲା । ବଡ଼ ଝିଅକୁ ୮ ବର୍ଷ ହୋଇଥିବା ବେଳେ ମଝିଆ ଝିଅ ୬ ବର୍ଷର ହୋଇଛି। ଗତ ୭ ମାସ ତଳେ ଆଉ ଏକ ଝିଅକୁ ଜନ୍ମ ଦେବା ଯୋଗୁ ପରିବାର ଭିତରେ ଅଶାନ୍ତି ଲାଗି ରହୁଥିଲା। ତେବେ ଘଟଣା ସମ୍ପର୍କରେ ଖବର ପାଇ ସିନ୍ଧେକେଲା ପୁଲିସ ଟିଟିଲାଗଡ଼ ଡାକ୍ତରଖାନାରେ ପହଂଚି ମୃତ ମହିଳାଙ୍କ ଶବକୁ ଜବତ କରି ଛାନଭିନ୍ ଆରମ୍ଭ କରିଛି । ଶବ ବ୍ୟବଚ୍ଛେଦ କରାଯିବା ପରେ ହିିଁ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି । ତେବେ ମୃତ ମହିଳାଙ୍କ ପରିବାରର ଅଭିଯୋଗକୁ ଆଧାର କରି ସିନ୍ଧେକେଲା ଥାନାରେ ଆଇପିସି ଧାରା ୪୯୮ ଏ, ୩୦୨ରେ ମାମଲା ରୁଜୁ କରାଯାଇଛି।