ଦିନକରେ ୬୦ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଦିନକରେ ୬୦ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୩୬ଜଣ ଓ ସ୍ଥାନୀୟ ସଂକ୍ରମଣ ୨୪ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୩୬ହଜାର ୩୨୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରନ୍ତଙ୍କ ମଧ୍ୟରେ ପୁରୀରୁ ସର୍ବାଧିକ ୧୩, ସୁନ୍ଦରଗଡ଼ ଓ ସମ୍ବଲପୁରରୁ ୯ ଲେଖାଏଁ, ନୂଆପଡ଼ାରୁ ୬, ବଲାଙ୍ଗିରରୁ ୫, ବାଲେଶ୍ୱରରୁ ୪, କଟକ, ଖୋର୍ଦ୍ଧା, ମୟୁରଭଞ୍ଜ ଓ ସୋନପୁରରୁ ୨ ଲେଖାଏଁ, ଅନୁଗୁଳ, ବରଗଡ଼, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି ଓ ଷ୍ଟେଟପୋଲରୁ ଜଣେ ଲେଖାଏଁ ରହିଛନ୍ତି।

ଅନ୍ୟପଟେ କରୋନା ଯୋଗୁ କେଉଁଝରର ଜଣେ ୭୩ ବର୍ଷୀୟ ମହିଳା ପ୍ରାଣ ହରାଇଛନ୍ତି। ସେ କରୋନା ବ୍ୟତୀତ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୮୦ଲକ୍ଷ ୬୧ହଜାର ୧୪୬ କରୋନା ଟେଷ୍ଟ ହୋଇଥିବାବେଳେ ୩ଲକ୍ଷ ୩୬ହଜାର ୩୨୨ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସେଥିମଧ୍ୟରୁ ୩ଲକ୍ଷ ୩୩ହଜାର ୬୩୭ ଜଣ ସୁସ୍ଥ ହୋଇଛନ୍ତି, ୧୯୧୨ ଜଣଙ୍କର ମୃତ୍ୟୁ ଘଟିଛି ଓ ୭୨୦ ଜଣ ଚିକିତ୍ସିତ ହେଉଛନ୍ତି।