ଲାଞ୍ଚ ନେବା ଭିଡ଼ିଓ ଭାଇରାଲ: ପାଟଣାଗଡ଼ ଏସଡିଏମଓଙ୍କ ବଦଳି

ବଲାଙ୍ଗିର,ପାଟଣାଗଡ଼,ଏନ୍ଏନ୍ଏସ୍: କିଛିଦିନ ତଳେ ପଟଣାଗଡ଼ ଏସଡିଏମଓ ବାଚସ୍ପତି ଦାଶ ଲାଞ୍ଚ ନେଉଥିବା ସମୟର ଏକ ଭିଡ଼ିଓ ଭାଇରାଲ ହୋଇଥିଲା । ଆଜି ଏହି ଘଟଣାରେ କାର୍ୟ୍ୟାନୁଷ୍ଠାନ ପୂର୍ବକ ଡା. ବାଚସ୍ପତି ଦାଶଙ୍କୁ ବଲାଙ୍ଗିର ବଦଳି କରାଯାଇଛି। ଏଥିସହିତ ବଲାଙ୍ଗିର ସିଡ଼ିଏମଓ ଭୀମ ସାହୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଡା.ଦାଶଙ୍କୁ ନେଇ ପୂର୍ବରୁ ମଧ୍ୟ ଅନେକ ଅଭିଯୋଗ ରହିଥିବାବେଳେ କ୍ୟାମେରା ସାମ୍ନାରେ ଧରା ପଡିବା ପରେ କେବଳ ବଦଳିକୁ ଲୋକେ ଗ୍ରହଣ କରିପାରୁ ନାହାନ୍ତି । ସେହିପରି ବଲାଙ୍ଗିର ଭୀମ ଭୋଇ ମେଡିକାଲର ଅସ୍ଥିଶଲ୍ୟ ବିଭାଗରେ କାମ କରୁଥିବା ଜଣେ ଆଟେଣ୍ଡାଣ୍ଟ ସଚିକାନ୍ତ ମିଶ୍ର ବ୍ୟାଣ୍ଡେଜ ଖୋଲିବା ବାବଦକୁ ଲାଞ୍ଚ ମାଗୁଥିବା ଏକ ଭିଡ଼ିଓ ମୋବାଇଲରୁ ମୋବାଇଲ ଘୁରି ବୁଲିଥିଲା । ଏହି ଘଟଣାରେ ତାଙ୍କୁ ନିଲମ୍ବନ କରାଯାଇଥିବା ସିଡିଏମଓ ଶ୍ରୀ ସାହୁ ସୂଚନା ଦେଇଛନ୍ତି । ତେବେ ସମାନ ଘଟଣାରେ ଡାକ୍ତରଙ୍କୁ ବଦଳି ଓ ଆଟେଣ୍ଡାଣ୍ଟଙ୍କୁ ନିଲମ୍ବନ ନିଷ୍ପତ୍ତି ବିଭାଗୀୟ ପ୍ରିୟାପ୍ରୀତିକୁ ଉଜାଗର କରୁଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।