ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର କମିସନ ପକ୍ଷରୁ ୩ ଜଣଙ୍କୁ ସାହସିକତା ପୁରସ୍କାର ପ୍ରଦାନ

ମାଲକାନଗିରି,ଏନ୍ଏନ୍ଏସ୍: ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଓ ଅଧିକାର କମିସନର ମାଲକାନଗିରି ଶାଖା ପକ୍ଷରୁ ଆଜି ଜିଲ୍ଲାପାଳ ମନୀଷ ଅଗ୍ରୱାଲ ୩ ଜଣ ଛାତ୍ରଛାତ୍ରୀଙ୍କୁ ସାହସିକତା ଓ ମେଧା ପୁରସ୍କାର ପ୍ରଦାନ କରିଛନ୍ତି। ଓଏସସିପିସିଆର୍ ପକ୍ଷରୁ ୧୦ମ ପ୍ରତିଷ୍ଠା ଦିବସ ଅବସରରେ ବାଲିମଳାର ବୁଲୁ ମୁଦୁଲି ନାମକ ଏକ ଛାତ୍ର ଯିଏ କି ଜଣେ ଛୋଟ ଶିଶୁ ବାଲିମେଳା ପାୱାର ହାଉସ୍ କେନାଲରେ ବୁଡି ଯାଉଥିବା ସମୟରେ ତାଙ୍କୁ ଉଦ୍ଧାର କରି ସାହସିକତାର ପରିଚୟ ଦେଇଥିଲେ। ଶ୍ରୀମାନ ମୁଦୁଲିକୁ ଓଏସସିପିସିଆର୍ ପକ୍ଷରୁ ୧୦ ହଜାର ଓ ରେଡକ୍ରସ ତରଫରୁ ଏକ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି।

ସେହିପରି ରଶ୍ମୀ ମାଡକାମି ନାମକ ଆଦିବାସୀ ଛାତ୍ରୀ ଜଣଙ୍କ ୪ ଥର ଜାତୀୟ ସ୍ତରୀୟ ଜୁଡୋରେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ତାଙ୍କୁ ୫ ହଜାର ଟଙ୍କା ଓ ରେଡକ୍ରସ ତରଫରୁ ଏକ ହଜାର ଟଙ୍କା ପୁରସ୍କାର ରାଶି ବାବଦରେ ପ୍ରଦାନ କରାଯାଇଛି।
ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ଚଳିତ ବର୍ଷ ଜିଲ୍ଲାସ୍ତରୀୟ ଟପ୍ପର ହୋଇଥିବା ପ୍ରହଲ୍ଲାଦ ନାଥଙ୍କୁ ମଧ୍ୟ ଓଏସସିପିସିଆର୍ ପକ୍ଷରୁ ୫ ହଜାର ଓ ରେଡକ୍ରସ ପକ୍ଷରୁ ଏକ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି। ମାଲକାନଗିରି ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।