ଇଏମଆଇ ଦେଇ ନପାରି ଆତ୍ମହତ୍ୟା କଲେ ଗୋଟିଏ ପରିବାର ୫ ଜଣ

ଗୁହାଟି,ଏଜେନ୍ସି: ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ବେଳେ ଇଏମଆଇ ବୋଝ ସହି ନପାରି ଗୋଟିଏ ପରିବାର ୫ ଜଣ ସଦସ୍ୟ ଆତ୍ମହତ୍ୟା କରିଥିବା ପୁଲିସ ସୂଚନା ଦେଇଛି। ଆସାମର କୋକରାଝର ଜିଲ୍ଲାରେ ଆଜି ଏହି ଘଟଣା ଘଟିଛି। ପୁଲିସ ସୂଚନା ଅନୁସାରେ ରୋସେଇ ଗ୍ୟାସ ଏଜେନ୍ସି ଚାଳନା ପାଇଁ ନିର୍ମଳ ପଲ(୪୫) ବ୍ୟାଙ୍କ ଓ ସ୍ଥାନୀୟ ଋଣଦାତାଙ୍କ ଠାରୁ ୨୫-୩୦ ଲକ୍ଷ ଟଙ୍କାର ଋଣ କରିଥିଲେ। କିନ୍ତୁ କରୋନା ମହାମାରୀ ସମୟରେ ବ୍ୟବସାୟ ଠିକ ଭାବେ ନ ହେବାରୁ କିଛି ମାସ ହେଲା ଋଣ ସୁଝିପାରୁ ନଥିଲେ। ଫଳରେ ବ୍ୟାଙ୍କରୁ ତାଙ୍କୁ ନୋଟିସ ଆସିବା ସହିତ ସ୍ଥାନୀୟ ଋଣ ଦାତାମାନେ ତାଙ୍କ ଘରକୁ ଆସୁଥିଲେ।

ରବିବାର ଦିନ ଗୁହାଟିରୁ ୫ ଘଣ୍ଟା ଦୂରରେ ଥିବା ଏକ ଗାଁରେ ସେ ତାଙ୍କ ପରିବାର ସମେତ ଆତ୍ମହତ୍ୟା କରିଛନ୍ତି। ମୃତକମାନେ ହେଲେ ନିର୍ମଳ ପଲ, ତାଙ୍କ ସ୍ତ୍ରୀ ମଲ୍ଲିକା(୪୦) ଓ ୩ ଝିଅ। ନିର୍ମଳଙ୍କ ବଡ଼ ଝିଅ ପୂଜା(୨୫) ବିଜ୍ଞାନରେ ସ୍ନାତକୋତ୍ତର କରିଥିବାବେଳେ ଏକ ଘରୋଇ ସ୍କୁଲରେ ପଢ଼ାଉଥିଲେ। ସେହିପରି ଅନ୍ୟ ୨ ଜଣ ସ୍ଥାନୀୟ ସ୍କୁଲରେ ପାଠ ପଢ଼ୁଥିଲେ। ଆଜି ତାଙ୍କ ମୃତ ଦେହକୁ ସ୍ଥାନୀୟ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବାବେଳେ ପୁଲିସ ତଦନ୍ତ ଜାରି ରଖିଛି।