‘ବ୍ରହ୍ମୋସ’ର ଆଉ ଏକ ସଫଳ ପରୀକ୍ଷଣ

ନୂଆଦିଲ୍ଲୀ,ଏଜେନ୍ସି: ଭାରତ ପକ୍ଷରୁ ମଙ୍ଗଳବାର ସକାଳେ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ବ୍ରହ୍ମୋସ ସୁପରସୋନିକ କ୍ଷେପଣାସ୍ତ୍ରର ଆଉ ଏକ ସଫଳ ପରୀକ୍ଷଣ କରାଯାଇଛି। ଭୂପୃଷ୍ଠରେ ଥିବା ଶତ୍ରୁପକ୍ଷର ଟାର୍ଗେଟକୁ ଏହି କ୍ଷେପଣାସ୍ତ୍ର କେତେ ନିର୍ଭୁଲଭାବେ ଭେଦ କରିପାରୁଛି, ତାହାର ପ୍ରମାଣ ପାଇବାକୁ ଏହି ପରୀକ୍ଷଣ ଉଦ୍ଦିଷ୍ଟ ଥିଲା ବୋଲି ଡିଆରଡିଓ (ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ) ପକ୍ଷରୁ କୁହାଯାଇଛି। ସ୍ଥଳସେନାର ବିଭିନ୍ନ ରେଜିମେଣ୍ଟରେ ଏହି କ୍ଷେପଣାସ୍ତ୍ରକୁ ସାମିଲ କରାଯାଇଥିବାବେଳେ ବର୍ତ୍ତମାନ ଏହାର ଲକ୍ଷ୍ୟଭେଦୀ କ୍ଷମତା ୪୦୦ କିମିକୁ ବୃଦ୍ଧି କରାଯାଇଛି।

ସଂପ୍ରତି ଚୀନ ଓ ପାକିସ୍ତାନ ସଂଲଗ୍ନ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ଲାଗି ରହିଥିବା ପରିପ୍ରେକ୍ଷୀରେ ଡିଆରଡିଓ ପକ୍ଷରୁ ବିଗତ ଏକ ମାସ ମଧ୍ୟରେ ବ୍ରହ୍ମୋସ ସମେତ ଅନ୍ୟ ଦଶଟି କ୍ଷେପଣାସ୍ତ୍ରର ତୁହାକୁ ତୁହା ସଫଳ ପରୀକ୍ଷଣ କରାଯାଇଥିବା ଜଣାପଡିଛି। ରୁଷ ଓ ଭାରତର ମିଳିତ ଉଦ୍ୟମରେ ନିର୍ମିତ ବ୍ରହ୍ମୋସ କ୍ଷେପଣାସ୍ତ୍ର ଭୂପୃଷ୍ଠ ସମେତ, ଯୁଦ୍ଧଜାହାଜ, ବୁଡାଜାହାଜ, ଯୁଦ୍ଧବିମାନରୁ ସଫଳତାର ସହ ନିକ୍ଷେପ କରାଯାଇପାରିବ। ସଂପ୍ରତି ଡିଆରଡିଓ ପକ୍ଷରୁ ବ୍ରହ୍ମୋସ-୨ ସୁପର ସୋନିକ କ୍ଷେପଣାସ୍ତ୍ରକୁ ବିକଶିତ କରାଯାଉଛି। ଭାରତର ବ୍ରହ୍ମପୁତ୍ର ଓ ରୁଷର ମସ୍କୋଭା ନଦୀର ନାମକୁ ସଂଯୋଗ କରି ଏହି କ୍ଷେପଣାସ୍ତ୍ରକୁ ବ୍ରହ୍ମୋସ ନାମରେ ନାମିତ କରାଯାଇଛି।