ଚେନ୍ନଇ,ଏଜେନ୍ସି: ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ ‘ନିଭାର’ ଆସନ୍ତାକାଲି ଅର୍ଥାତ ବୁଧବାର ସନ୍ଧ୍ୟାରେ ତାମିଲନାଡୁ ଓ ପୁଦୁଚେରୀ ଉପକୂଳ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସ୍ଥଳଭାଗ ଛୁଇଁବା ସମୟରେ ଝଡ ଭୟଙ୍କର ରୂପ ଧାରଣ କରିବ ଏବଂ ପବନର ବେଗ ଘଣ୍ଟା ପ୍ରତି ୧୧୦ରୁ ୧୨୦ କିମି ରହିବ ବୋଲି ଆଶଙ୍କା କରାଯାଉଛି। ଏହାବ୍ୟତୀତ ଝଡର ପ୍ରଭାବରେ ରାଜ୍ୟର ଊପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ମଧ୍ୟ ରହିଛି। ଏହି ପରିପ୍ରେକ୍ଷୀରେ କୁଡାଲୁର, ପୁଦୁକୋଟ୍ଟାଇ ଓ ଭିଲୁପୁରମ ଜିଲାରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ପରିସ୍ଥିତିର ମୁକାବିଲା କରିବାକୁ ଏନଡିଆରଏଫର ଅଧିକାଂଶ ଟିମ୍ ସେମାନଙ୍କର ଆବଶ୍ୟକୀୟ ସାମଗ୍ରୀ ଓ ଯନ୍ତ୍ରପାତି ସହ ସମ୍ବେଦନଶୀଳ ସ୍ଥାନରେ ପହଞ୍ଚି ସାରିଛନ୍ତି। ଏହାବ୍ୟତୀତ ଚେନ୍ନଇରେ ଏନଡିଆରଏଫର ଆଉ କେତେକ ଟିମକୁ ଷ୍ଟାଣ୍ଡବାଏ ରଖାଯାଇଛି। ବୁଧବାର ସକାଳୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ଚେତାବନୀ ଦିଆଯାଇଛି। ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ଘରୁ ନ ବାହାରିବାକୁ ମୁଖ୍ୟମନ୍ତ୍ରୀ ପାଲାନିସ୍ୱାମୀ ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ଏଥିସହିତ ବୁଧବାରକୁ ତାମିଲନାଡୁ ସରକାର ଛୁଟି ଘୋଷଣା କରିଛନ୍ତି। ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ ସମସ୍ତ ପ୍ରତିଷ୍ଠାନ ବନ୍ଦ ରହିବ ବୋଲି ସରକାରୀ ବିଜ୍ଞପ୍ତିରେ କୁହାଯାଇଛି।
ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ଯେପରି ସମୟ ମୁତାବକ ରିଲିଫ ଯୋଗାଇ ଦିଆଯିବ, ସେଥିପାଇଁ ଚେନ୍ନଇରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଛି। ଏହି ଝଡକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ମଙ୍ଗଳବାର ସନ୍ଧ୍ୟାରୁ ସାତଟି ଜିଲାରେ (ପୁଦୁକୋଟ୍ଟାଇ, କୁଡାଲୁର, ନାଗପଟ୍ଟିନମ, ତାଞ୍ଜାଭୁର, ତିରୁଭାରୁର, ଭିଲୁପୁରମ ଓ ଚେଙ୍ଗଲପାଟ୍ଟୁ) ବସ୍ ଚଳାଚଳକୁ ବାତିଲ କରିଥିବାବେଳେ ଏହି ପଥ ଦେଇ ଯାତ୍ରା କରୁଥିବା ସମସ୍ତ ଟ୍ରେନ ସେବାକୁ ମଧ୍ୟ ରଦ୍ଦ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇତିମଧ୍ୟରେ ତାମିଲନାଡୁ ଓ ପୁଦୁଚେରୀ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ପୁଦୁଚେରୀ ସରକାର ମଧ୍ୟ ସମ୍ଭାବ୍ୟ ଝଡର ପ୍ରକୋପକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିଛନ୍ତି। ଝଡ ପରବର୍ତ୍ତୀ ସମୟରେ ସହରରେ ସମସ୍ତ ପ୍ରକାର ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରଖିବାକୁ ପୁଦୁଚେରୀ ଜିଲାପାଳ କଡା ନିର୍ଦେଶ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ମୋଦୀ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି।