ବ୍ରଜରାଜନଗରରେ ଗୁଳିକାଣ୍ଡ, ୧ ମୃତ, ୪ ଅଭିଯୁକ୍ତ ଗିରଫ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବ୍ରଜରାଜନଗରରେ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଗୁଳିକାଣ୍ଡ କରିଥିବା ଘଟଣାରେ ପୁଲିସ ୪ଜଣଙ୍କୁ ଗିରଫ କରିଛି। ଗୁଳିକାଣ୍ଡ ପରେ ପୁଲିସ ଉକ୍ତ ଅଞ୍ଚଳକୁ ଚାରିଆଡ଼ୁ ସିଲ କରିଦେଇଥିବା ବେଳେ ଅଭିଯୁକ୍ତମାନେ ସେଠାରୁ ଖସିବାକୁ ଉଦ୍ୟମ କରୁଥିଲେ। ଏହି ସମୟରେ ମଧୁପୁର ଜଙ୍ଗଲ ନିକଟରେ ଅଭିଯୁକ୍ତ ଓ ପୁଲିସ ମୁଁହାମୁହିଁ ହୋଇଥିଲେ। ଅଭିଯୁକ୍ତମାନେ ପ୍ରଥମେ ପୁଲିସ ଉପରକୁ ଗୁଳିମାଡ଼ କରିଥିଲେ। ଏଥିରେ ଜଣେ ପୁଲିସ ଅଧିକାରୀ ଆହତ ହୋଇôଥଲା। ଅନ୍ୟପଟେ ଏହାର ଜବାବରେ ପୁଲିସ ପାଲଟା ଗୁଳିଚାଳନାରେ ଅଭିଯୁକ୍ତମାନେ ଆହତ ହୋଇଥିଲେ। ପରେ ଆହତମାନଙ୍କୁ ଚିକିତ୍ସା ପାଇଁ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପୁଲିସର ସୂଚନା ମୁତାବକ ଏହି ଗୁଳିକାଣ୍ଡରେ ୪ଜଣ ସାମିଲ ଥିବାବେଳେ ସମସ୍ତଙ୍କୁ ଗିରଫ କରିଛି । ସେମାନେ ହେଲେ ଅନନ୍ତ ଧଳ, ଶୈଳେନ୍ଦ୍ର ପାତ୍ର, ନିକି ସିଂ, ରଫିକ ଅନସାରୀ।

ସେହିପରି ଏହି ଗୁଳିକାଣ୍ଡରେ ଗାନ୍ଧୀ ଛକ ଫାଣ୍ଡି ଅଧିକାରୀ ଚୁଡାମଣି ମହାନନ୍ଦ ମଧ୍ୟ ଆହତ ହୋଇଛନ୍ତି । ସମସ୍ତ ଅଭିଯୁକ୍ତଙ୍କୁ କଡା ସୁରକ୍ଷା ବଳୟରେ ବର୍ତ୍ତମାନ ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି ।

ସୂଚନା ଅନୁଯାୟୀ ମଙ୍ଗଳବାର ରାତ୍ରିରେ ବ୍ରଜରାଜନଗରରେ ଥିବା ଲକ୍ଷ୍ମୀ କ୍ୟାଫେ ହୋଟେଲରେ ସୁମିତ ଘୋଷ(ମଣ୍ଟୁ) ବସିଥିବା ବେଳେ ଉକ୍ତ ୪ଜଣ ଯୁବକ ତାଙ୍କ ଉପରକୁ ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ। । ଏଥିରେ ମଣ୍ଟୁର ମୁଣ୍ଡରେ ୩ଟି ଗୁଳି ବାଜିଥିବାରୁ ଘଟଣାସ୍ଥଳରେ ସେ ଗୁରୁତର ହୋଇପଡ଼ିଥିଲା। ପରେ ସେଠାରୁ ତାଙ୍କୁ ମଣ୍ଡଳିଆ ସ୍ଥିତ କେନ୍ଦ୍ରୀୟ ଚିକିତ୍ସାଳୟକୁ ନେଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅପରପକ୍ଷରେ ମଣ୍ଟୁ ଦୁର୍ଦ୍ଦାନ୍ତ ଅପରାଧୀ ସୋନୁ ଘୋଷ ର ଭାଇ। ୪ମାସ ତଳେ ବ୍ରଜରାଜନଗରରେ ଅମିତ ଧଳ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଭାବେ ସୋନୁ ବର୍ତ୍ତମାନ ଜେଲରେ ଅଛି ।

ବ୍ରଜରାଜନଗରରେ ଗୁଳି ଚାଳନା ପରେ ଲୋକଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ଝାରସୁଗୁଡା ଏସ୍ପି ଅଶ୍ୱିନୀ କୁମାର ମହାନ୍ତି ଓ ବରିଷ୍ଠ ପୁଲିସ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପରେ ମଧୁପୁର ଜଙ୍ଗଲ ନିକଟରେ ଅଭିଯୁକ୍ତ ଓ ପୁଲିସ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏହି ପରିପ୍ରେକ୍ଷୀରେ ସମସ୍ତ ୪ ଅଭିଯୁକ୍ତ ଗୁରୁତର ଆହତ ହୋଇଥିବାବେଳେ ଜଣେ ପୁଲସ କର୍ମଚାରୀ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି।