ଏବେ ବି ଅବୁ ବକର ଅଲ୍‌-ବାଗଦାଦୀର ୨୦ଟି ସଂଗଠନ ସକ୍ରିୟ ରହିଛି

ଭାରତରେ ଆକ୍ରମଣ ଷଡ଼ଯନ୍ତ୍ର ରଚିଥିଲା ଆଇଏସଆଇଏସ

ୱାଶିଂଟନ,ଏଜେନ୍ସି: ଆମେରିକା ସେନା ଦୀପାବଳି ଅବସରରେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସ ମୁଖ୍ୟ ଅବୁ ବକର ଅଲ୍‌-ବାଗଦାଦୀକୁ ନିପାତ କରିଥିଲେ ମଧ୍ୟ ବିଶ୍ଵ ପ୍ରତି ଏହି ସଂଗଠନର ବିପଦ ଟଳିନାହିଁ। ବର୍ତ୍ତମାନ ଏହି ସଂଗଠନର ୨୦ଟି ଶାଖା ଏବେ ବି ସକ୍ରିୟ ରହିଛି। ଏହାର ଏକ ଶାଖା ଆଇଏସଆଇଏସ-କେ ଦକ୍ଷିଣ ଏସିଆର ବି ସକ୍ରିୟ ଅଛି। ସଂଗଠନର ଏହି ଶାଖା ୨୦୧୮ରେ ଭାରତରେ ଆତ୍ମଘାତୀ ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର ରଚିଥିଲା। ଆମେରିକାରେ ରହୁଥିବା ଜଣେ ପ୍ରବାସୀ ଭାରତୀୟ ସାଂସଦ ଏହି ତଥ୍ୟ ପ୍ରକାଶ କରିଛନ୍ତି।

ପ୍ରବାସୀ ଭାରତୀୟ ସାଂସଦ ମ୍ୟାଗୀ ହସନଙ୍କ ଏକ ପ୍ରଶ୍ନରେ ଆମେରିକାର ରାଷ୍ଟ୍ରୀୟ ଆତଙ୍କବାଦ ନିରୋଧ କେନ୍ଦ୍ରର କାର୍ୟ୍ୟକାରୀ ନିର୍ଦେଶକ ରସେଲ ଟ୍ରେୱର୍ସ କହିଛନ୍ତି ଯେ, ବାସ୍ତବରେ ଆଇଏସର ସମସ୍ତ ଶାଖା ଆମେରିକା ପାଇଁ ସବୁଠାରୁ ଅଧିକ ଚିନ୍ତାର ବିଷୟ। ହସନ କହିଛନ୍ତି, ଆଇଏସର ସମସ୍ତ ଶାଖା ଏବଂ ନେଟୱର୍କ ମଧ୍ୟରୁ ଆଇଏସଆଇଏସ-କେ ଏକ ଏପରି ଶାଖା, ଯାହା ସବୁଠାରୁ ଅଧିକ ଚିନ୍ତାର ବିଷୟ। ଏହି ସଂଗଠନରେ ୪୦୦୦ ଆତଙ୍କବାଦୀ ରହିଛନ୍ତି। ସେମାନେ ଆଫଗାନିସ୍ତାନ ବାହାରେ ଆକ୍ରମଣ କରିବାକୁ ଉଦ୍ୟମ କରୁଛନ୍ତି। ଗତବର୍ଷ ସେମାନେ ଭାରତରେ ଆତ୍ମଘାତୀ ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର କରିଥିଲେ। ମାତ୍ର ସେଥିରେ ବିଫଳ ହୋଇଥିଲେ।