କୃଷି ବିଲକୁ ପ୍ରତ୍ୟାହାର ଦାବିକଲା ରାଷ୍ଟ୍ରୀୟ ବୌଦ୍ଧ ମହାସଭା

ବରଗଡ଼,ଏନ୍ଏନ୍ଏସ୍: କେନ୍ଦ୍ରର ମୋଦୀ ସରକାର ଦ୍ୱାରା ପ୍ରଣୟନ କରାଯାଇଥିବା ତିନି କୃଷି ବିଲକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରିଛି ରାଷ୍ଟ୍ରୀୟ ବୌଦ୍ଧ ମହାସଭା । ଏନେଇ ବରଗଡ଼ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ରାଷ୍ଟ୍ରୀୟ ବୌଦ୍ଧ ମହାସଭା ବରଗଡ଼ ଶାଖା ତରଫରୁ ଏକ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଚାଷୀମାନଙ୍କ ଆନ୍ଦୋଳନକୁ ସମର୍ଥନ କରାଯିବା ସହ ତୁରନ୍ତ ନୂତନ କୃଷି ବିଲକୁ ପ୍ରତ୍ୟାହାର କରିବାକୁ ଦାବି କରାଯାଇଥିଲା । ନୂତନ କୃଷି ବିଲ ଦ୍ୱାରା ଆଗାମୀ ଦିନରେ କୃଷିକ୍ଷେତ୍ର ପୁଞ୍ଜିପତିଙ୍କ କବଜାକୁ ଚାଲିଯିବା ସହ ଖାଦ୍ୟ ସାମଗ୍ରୀର କଳାବଜାର ବୃଦ୍ଧି ପାଇବ । ତେଣୁ କୃଷି ବିରୋଧୀ ଏହି ବିଲକୁ ପ୍ରତ୍ୟାହାର କରିବାକୁ ରାଷ୍ଟ୍ରୀୟ ବୌଦ୍ଧ ମହାସଭା ତରଫରୁ ଦାବି କରାଯାଇଛି ।