ଦାରିଙ୍ଗବାଡ଼ିରେ ପ୍ରଥମ ତୁଷାରପାତ

ଦାରିଙ୍ଗବାଡ଼ି, ଏନ୍ଏନ୍ଏସ୍: ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳର ଅନେକ ସ୍ଥାନରେ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି । ସୋମବାର ଦାରିଙ୍ଗବାଡ଼ିରେ ତାପମାତ୍ରା ୬ ଡିଗ୍ରୀ ସେଲସିୟସ ରହିଥିବାବେଳେ ବିଭିନ୍ନ ସ୍ଥାନରେ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି। ତୁଷାରପାତ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।

ଦାରିଙ୍ଗବାଡ଼ି ବ୍ଲକର ସିମନବାଡ଼ି ସମେତ ସାରିଙ୍ଗିଇର୍ପି, ତିଲୋରୀ, ମଲୁକଚେରୀ, ଡକରବାଡ଼ି, ସାରୁମାହା, ପାଙ୍ଗାଲି ଆଦି ଅଞ୍ଚଳରେ ପାଳଗଦା ଓ ବାଉଁଶ ଗଛରେ ବରଫ ଜମି ରହିଥିବା ଦେଖିବାକୁ ମିଳିଛି। ଏହି ମନୋରମ ଦୃଶ୍ୟକୁ ଦେଖିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଶତାଧିକ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ଗତକାଲି ଦାରିଙ୍ଗବାଡ଼ିର ତାପମାତ୍ରା ୯ଡିଗ୍ରୀ ଥିବାବେଳେ ଆଜି ୩ଡିଗ୍ରୀ ହ୍ରାସ ପାଇ ଚଳିତବର୍ଷର ସର୍ବନିମ୍ନ ତାପମାତ୍ରା ୬ଡିଗ୍ରୀରେ ରହିଛି। ବ୍ଲକର ଆଭ୍ୟନ୍ତରୀଣ ଇଲାକାରେ ତାପମାତ୍ରା ୨ ରୁ ୩ ଡିଗ୍ରୀ କମ୍ ରହୁଥିବା ଜଣାପଡ଼ିଛି ।