ବ୍ରିଟେନ‌ରେ ପୁଣି ଲକ‌ଡାଉନ୍ ଘୋଷଣା କଲେ ପ୍ରଧାନମନ୍ତ୍ରୀ ବୋରିସ ଜନ‌ସନ୍‌

ଲଣ୍ଡନ୍,ଏଜେନ୍ସି‌: ବ୍ରିଟେନ୍‌ରେ କରୋନାର ନୂଆ ଷ୍ଟ୍ରେନ୍‌ ପ୍ରତିଦିନ ବୃଦ୍ଧି ପାଇବାରେ ଲାଗିଛି। ଏହି ନୂଆ ଷ୍ଟ୍ରେନ୍‌କୁ ନେଇ ବ୍ରିଟେନ୍‌ ପ୍ରଶାସନର ନିଦ ହଜି ଯାଇଛି। ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌ ସାରା ଦେଶରେ ଆଜିଠାରୁ ଲକଡାଉନ୍‌ ଘୋଷଣା କରିଛନ୍ତି। ଆଜିଠାରୁ ଫେବୃଆରୀ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ବ୍ରିଟେନ‌ରେ ଲକଡାଉନ୍‌ ଜାରି ରହିବ ବୋଲି ସେ ଘୋଷଣା କରିଛନ୍ତି।

ବ୍ରିଟେନ‌ରେ ଲକ‌ଡାଉନ୍‌ ସମୟରେ ସାରା ଦେଶର ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି। ଜନସାଧାରଣ କେବଳ ଜରୁରୀକାଳୀନ ସ୍ଥିତିରେ ଘରୁ ବାହାରି ପାରିବେ। ଏହି ଲକଡାଉନ୍‌ ସମୟରେ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟରେ ଅନଲାଇନ୍‌ ପାଠପଢ଼ା ଚାଲିବ। କରୋନା ସଂକ୍ରମଣକୁ ରୋକିବାକୁ ଏଭଳି ପଦକ୍ଷେପ ନିଆଯାଇଥିବା ପ୍ରଧାନମନ୍ତ୍ରୀ ବୋରିସ ଜନ‌ସନ୍‌ ପ୍ରକାଶ କରିଛନ୍ତି।

କରୋନାର ନୂଆ ଷ୍ଟ୍ରେନ୍ ଦୃତ ବେଗରେ ସଂକ୍ରମିତ ହେଉଛି। ପୂର୍ବରୁ ଏନେଇ ସାମାଜିକ କାର୍ଯ୍ୟକ୍ରମ ଉପରେ କଟକଣା ସହ, ହୋଟେଲ, ରେଷ୍ଟୁରାଣ୍ଟ, ବାର ଓ ପବ୍ ଭଳି ଜନଗହଳି ସ୍ଥାନଗୁଡିକ ଖୋଲିବା ଉପରେ ପ୍ରତିବନ୍ଧକ ଲଗିଥିଲେ ସୁଦ୍ଧା ସଂକ୍ରମଣ ବ୍ୟାପୁଛି। ଫଳରେ ସରକାର ଲକଡାଉନ ପ୍ରକ୍ରିୟା ଆପଣାଇଛନ୍ତି।