ବୋଲେରୋ ଚୋରି ଅଭିଯୋଗରେ ଜଣେ ଗିରଫ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବଡ଼ମାଲ ଥାନା ଅନ୍ତର୍ଗତ ବିଷ୍ଣୋ ରେସିଡେନ୍ସରେ ବୋଲେରୋ ଚୋରି ଅଭିଯୋଗରେ ଝାରସୁଗୁଡ଼ା ପୁଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ବ୍ୟକ୍ତି ଜଣକ ସୁନ୍ଦରଗଡ଼ ଜିଲ୍ଲା ତଲସରା ଗ୍ରାମର ଭାସ୍କର ମାଝୀ(୩୯)ବୋଲି ଝାରସୁଗୁଡ଼ା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିକାଶ ଚନ୍ଦ୍ର ଦାସ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ମିଳିଥିବା ରିପୋର୍ଟ ମୁତାବକ, ଗତକାଲି ରତି ରଞ୍ଜନ ସାମଲ ତାଙ୍କ ବୋଲେରୋ ଚୋରି ହୋଇଥିବା ନେଇ ବଡ଼ମାଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ଗଡପୋସ ଆଉଟ ପୋଷ୍ଟ ପୁଲିସ ସହାୟତାରେ ଗଡପୋସ ଅଂଚଳରୁ ବୋଲେରୋକୁ ଜବତ କରିବା ସହ ଅଭିଯୁକ୍ତ ଭାସ୍କରଙ୍କୁ ଗିରଫ କରିଛି। ତେବେ ଏନେଇ ଅଭିଯୁକ୍ତ ଜଣକୁ ପଚାରିବାରୁ ସେ ବୋଲେରୋ ଚୋରି କରିନଥିବା କହିଥିଲେ। ସେ ନିଜେ ହିଁ ଉକ୍ତ ବୋଲେରୋର ଡ୍ରାଇଭର। ମାଲିକଙ୍କୁ ନକହି ବୋଲେରୋ ନେଇ ଘରକୁ ଯାଇଥିବାବେଳେ ତାଙ୍କ ନାଁରେ ମାମଲା ରୁଜୁ ହୋଇଥିବା ସେ କହିଛନ୍ତି।