୨ ଯୁବକଙ୍କ ମୃତଦେହ ଉଦ୍ଧାର 

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ସାଗରପାଲି ଗ୍ରାମ ବାବପଡ଼ାରୁ ଜଣେ ଯୁବକ ଏବଂ କୁରେମାଲ ଗ୍ରାମରୁ ଅନ୍ୟଜଣେ ଯୁବକଙ୍କ ମୃତଦେହ ରେଙ୍ଗାଲି ପୁଲିସ ଉଦ୍ଧାର କରିଛି। ମୃତ ଯୁବକ ଦ୍ୱୟ ସାଗରପାଲି ଗ୍ରାମର ଭୋଜରାଜ ଭଏଁଷା ଏବଂ କୁରେମାଲ ଗ୍ରାମର କାର୍ତ୍ତିକ ରାଉତ ବୋଲି ଜଣାପଡ଼ିଛି। ମିଳିଥିବା ରିପୋର୍ଟ ମୁତାବକ, ଘରେ କେହି ନଥିବାବେଳେ ଭୋଜରାଜ  ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି। ମାଇକ୍ରୋ ଫାଇନାନ୍ସ କମ୍ପାନୀଗୁଡ଼ିକରୁ ଗ୍ରୁପ ମାଧ୍ୟମରେ ନେଇଥିବା ଋଣକୁ ପରିଶୋଧ କରିବା ନେଇ ଅନେକ ଦିନ ହେବ ଭୋଜରାଜ ଚାପରେ ଥିବା ପରିବାର ଲୋକେ କହିଛନ୍ତି।

ଅନ୍ୟପଟେ କୁରେମାଲ ଗ୍ରାମର କାର୍ତ୍ତିକ ରାଉତଙ୍କ ମୃତଦେହ ତାଙ୍କ ଗ୍ରାମର ବିଜୁ ଧରେଇଙ୍କ ଘରୁ ପୁଲିସ ଉଦ୍ଧାର କରିଛି। ବିଜୁଙ୍କ ଘରକୁ କାର୍ତ୍ତିକ କାହିଁକି ଯାଇଥିଲେ ଏବଂ ସେ ସେଠାରେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଇଛି ସେଦିଗରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଏହାସହ ଉଭୟ ଯୁବକଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠା ଯାଇଥିବା ଜଣାପଡ଼ିଛି।