ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା

ରିଆମାଳ,ଏନ୍ଏନ୍ଏସ୍: ରିଆମାଳ ଥାନା ଅନ୍ତର୍ଗତ ବ୍ରାହ୍ମଣସାହି ଠାରେ ଆଜି ମଧ୍ୟାହ୍ନ ୨ଟା ୩୦ ମିନିଟ ସମୟରେ ଏକ ବୋଲେରୋ ଓ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଦୁଇ ବାଇକ୍ ଆରୋହୀ ଗାଡିରୁ ଛିଟିକି ପଡିବାରୁ ଦୁଇ ଜଣଙ୍କର ମୁଣ୍ଡରେ ଆଘାତ ଲାଗି ରକ୍ତସ୍ରାବ ହେବାରୁ ଦେବଗଡ଼ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ ଛେଣ୍ଡିପଦା ଥାନା ଅନ୍ତର୍ଗତ ପାଟକୁମୁଣ୍ଡା ଗ୍ରାମର ନାଥ ପ୍ରଧାନ(୩୦) ଓ ରିଆମାଳ ଥାନା ଆନ୍ତର୍ଗତ କେନ୍ଦୁଘାଟ ଗ୍ରାମର ଟିକେଶ୍ୱର କାରିଗର(୨୨) ଏକ ବାଇକ୍(ଓଡି-୨୮-ଏ-୬୮୫୨) ଯୋଗେ ଛେଣ୍ଡିପଦା ଠାରୁ କେନ୍ଦୁଘାଟ ଗ୍ରାମକୁ ଆସୁଥିବା ବେଳେ ରିଆମାଳ ବ୍ରାହ୍ମଣସାହି ଠାରେ ବୋଲେରୋ(ଓଡି-୨୮-୩୧୦୮) ଗାଡିରେ ଧକ୍କା ଦେଇଥିଲା।

ଏଥିରେ ୨ ଜଣ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଘଟଣାସ୍ଥଳକୁ ସ୍ଥାନୀୟ ଲୋକେ ପହଞ୍ଚି ରିଆମାଳ ଥାନାକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ଡକାଇ ଆହତ ୨ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଦୁର୍ଘଟଣା ପରେ ବୋଲେରୋରେ ଥିବା ସମସ୍ତ ବ୍ୟକ୍ତି ଗାଡି ଛାଡି ଫେରାର ହୋଇଯାଇଛନ୍ତି। ରିଆମାଳ ଥାନା ପୁଲିସ ବାଇକ ଓ ବୋଲେରୋ ଗାଡିକୁ ଜବତ କରି ତଦନ୍ତ ଚଳାଇଛି।