ବଲାଙ୍ଗିର ଜିଲ୍ଲା କୃଷକ ମହାସଂଘର ଆନ୍ଦୋଳନ ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର,ଏନ୍ଏନ୍ଏସ୍: ଦୀର୍ଘ ଦିନ ହେବ ଜିଲ୍ଲାରେ କୃଷକ ସମସ୍ୟା ଗୁଡିକର ସମାଧାନ କରାଯାଉ ନାହିଁ। ବାରମ୍ବାର ଧାରଣା ଓ ଆନ୍ଦୋଳନ ସତ୍ତ୍ୱେ କୌଣସି ସୁଫଳ ମିଳୁ ନାହିଁ। ତେଣୁ କୃଷକ ମାନଙ୍କ ୭ ଦଫା ଦାବି ନେଇ ୧୬ ସେପ୍ଟେମ୍ବର ଦିନ କୃଷକ ମହାସଂଘ ପକ୍ଷରୁ ଏକ ଜିଲ୍ଲା ସ୍ତରୀୟ ଚାଷୀ ଆନ୍ଦୋଳନ କରାଯିବା ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ସ୍ଥାନୀୟ ଶାନ୍ତିପଡା କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ଏହି ବୈଠକରେ କୃଷକ ସଂଘ କହିଛି ଯେ, ଗତ ବର୍ଷ ବଲାଙ୍ଗିର ଜିଲ୍ଲାରେ ଭୟାବହ ମରୁଡି ହୋଇଥିଲା। ଜିଲ୍ଲାରେ ୩୧୭ ପଞ୍ଚାୟତରେ ହଜାର ହଜାର ଚାଷୀ ଏଆଇସି କମ୍ପାନୀରେ କୃଷିବୀମା କରିଥିଲେ। କିନ୍ତୁ ବର୍ତ୍ତମାନ ୨୦୨୨ ଖରିଫ ଶେଷ ହୋଇଥିବା ବେଳକୁ ମଧ୍ୟ ଅଦ୍ୟାବଧି ଯୋଗ୍ୟ ପଞ୍ଚାୟତକୁ ସମ୍ପୂର୍ଣ୍ଣ ଭାବେ କୃଷିବୀମା ରାଶି ଦିଆଯାଇ ନାହିଁ। ଆହୁରି ଜିଲ୍ଲାର ୮୫ ଗୋଟି ପଞ୍ଚାୟତକୁ କମ୍ପାନୀ ତରଫରୁ ଆପତ୍ତି ଦର୍ଶାଇ ବୀମା ଦେବାରେ ଟାଳଟୁଳ ନୀତି ଅବଳମ୍ବନ କରୁଛି। ଏହି କୃଷି ବୀମାକୁ ନେଇ ମହାସଂଘ ତରଫରୁ ଜୁନ୍‌ ୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦିଆଯିବା ସହ ରାଜ୍ୟ ସ୍ତରୀୟ ମନ୍ତ୍ରୀ/ କୃଷି ନିର୍ଦ୍ଦେଶକ ମାନଙ୍କୁ ମଧ୍ୟ ଦାବିପତ୍ର ଦିଆଯାଇଥିଲା। ଏଥିସତ୍ତ୍ୱେ ବୀମା ରାଶି ନମିଳିବାରୁ ଭୁବନେଶ୍ୱର ସ୍ଥିତ ଗତ ଅଗଷ୍ଟ ୨୬ ତାରିଖରେ ଏଆଇସି ଆର.ଏମ୍ ଅଫିସକୁ ମହାସଂଘର ଶତଧିକ ଚାଷୀ ଘୋରାଉ କରି ବିକ୍ଷୋଭ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିଲାନାହିଁ। ଯାହା ଦ୍ୱାରା ଆଜି ପ୍ରଧାନମନ୍ତ୍ରୀ ଫସଲ ବୀମା ସମ୍ପୁର୍ଣ୍ଣ ବୀମାରାଶି ନପାଇବା ପର୍ଯ୍ୟନ୍ତ ଆନ୍ଦୋଳନକୁ ଚରମସୀମାକୁ ନେବା ପାଇଁ ବୈଠକରେ ଚରମ ନିଷ୍ପତ୍ତି ନିଆଯାଇଛି।

ଅପରପକ୍ଷରେ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଅବହେଳା କରି ଚାଲିଥିବାରୁ ୨୦୨୧ରେ ବଲାଙ୍ଗିର ଜିଲ୍ଲାକୁ ଏ ପର୍ଯ୍ୟନ୍ତ ମରୁଡି ଘୋଷଣା କରାଯାଇ ନାହିଁ। ତେଣୁ ଜିଲ୍ଲାକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା କରାଯିବା, ସାର କମ୍ପାନି ଓ ହୋଲସେଲର ମାନଙ୍କ ପ୍ରୀୟାପ୍ରୀତି ଯୋଗୁଁ ମନମୁଖୀ କଳାବଜାରି ବନ୍ଦ କରିବା, ବଲାଙ୍ଗିର ଜିଲ୍ଲାରେ ଜଳସେଚନର ବ୍ୟାପକ ଅବହେଳା ଦୂର କରିବା, ବଲାଙ୍ଗିର ଜିଲ୍ଲାରେ ଧାନ ପଞ୍ଜୀକରଣ ବ୍ୟବସ୍ଥାରେ ମାଲମାମୁଲି ଓ ଧାନ ହେଉଥିବା ଆଟରେ ପଞ୍ଜିକରଣରେ ସାମିଲ କରାଯିବା, ବିଜୟାନନ୍ଦ ଚିନି କଳକୁ କାର୍ଯ୍ୟକ୍ଷମ କରାଯିବା, ବଲାଙ୍ଗିର ଜିଲ୍ଲାରେ କୃଷି ବିଶ୍ୱ ବିଦ୍ୟାଳୟ ସ୍ଥାପନ କରିବା, ଏକର ପ୍ରତି ଧାନ କିଣା ବିକାରେ ୧୩ କ୍ୱିଣ୍ଟାଲ ବଦଳରେ ୨୨ କ୍ୱିଣ୍ଟାଲ କରାଯିବା ଆଦିି ଦାବି ଗୁଡିକୁ ନେଇ ଆସନ୍ତା ସେପ୍ଟେମ୍ବର ୨୯ ତାରିଖରେ ବଲାଙ୍ଗିର- ଟିଟିଲାଗଡ ଓ ହରିଶଙ୍କର ରୋଡ (ଲାଠୋର) ଅନିର୍ଦ୍ଦିଷ୍ଟକାଳ ପାଇଁ ରେଳ ରୋକ କରାଯିବାକୁ ସଂଘ ତରଫରୁ ନିଷ୍ପତ୍ତି ନିଆଯାଇଥିବା ସଂଘ କହିଛି।

ଏହି ସଭାରେ ସଂଘର ସଭାପତି ଯତି ପଧାନଙ୍କ ସଭାପତିତ୍ୱରେ ପରିଚାଳିତ ସଭାରେ ଉପ-ସଭାପତି ସୌମେନ୍ଦ୍ର ପରିଚ୍ଛା, ସହ-ସମ୍ପାଦକ ବିଶ୍ୱଜିତ ନାଥ, ପ୍ରାଣକୃଷ୍ଣ ସାହୁ, ସଂଯୋଜକ ମଧୁ ସୁଦନ କ୍ଷେତି, ବ୍ଲକ ସଭାପତି ଯୋଗେଶ୍ୱର ଜେନା, କନ୍ଦର୍ପ ଦନ୍ତା, କୃଷ୍ଣଚନ୍ଦ୍ର ବନଛୋର, ଇନ୍ଦ୍ରମଣି ସାହୁ, ମଦନ ମୋହନ କୁମ୍ଭାର, କୈଳାସ ପ୍ରଧାନ, କ୍ଷମାନିଧି ଦଳପତି, କୃଷ୍ଣଚନ୍ଦ୍ର ନାଏକ ଓ ଅନ୍ୟାନ୍ୟ ଚାଷୀ ବୃନ୍ଦ ଚକ୍ରଧର ହେର୍ଣ୍ଣା, ଭରତ ଧରୁଆ, ଗୋପବନ୍ଧୁ ସାହୁ, ଅଭିଳାଶ ଭୋଇ, ମୋହନ ବଗର୍ତ୍ତି, ମିଳାପ ସାହୁ, ଦିନେଶ ସାହୁ, ଶୋଭାକର ସାହୁ, ସୁମନ୍ତ ମେହେର, ଯୁଗଲାଲ ସାହୁ, ନିରଞ୍ଜନ ପଧାନ, ମଧୁ ସାହୁ, କନ୍ଦର୍ପ ସୁଆର, ରବି ସାହୁ ଇତ୍ୟାଦି ବହୁ ଚାଷୀ ଜିଲ୍ଲାରୁ ୫୦୦ ଚାଷୀ ଉପସ୍ଥିତ ଥିଲେ।