ଲୋୟର ସୁକତେଲର ଭୂତଳ ପାଇପ ଜଳସେଚନ ନେଟୱାର୍କ ପ୍ରଣାଳୀ ପାଇଁ ଚୁକ୍ତିନାମା ସ୍ଵାକ୍ଷରିତ

ବଲାଙ୍ଗିର,ଏନ୍ଏନ୍ଏସ୍: ଆଜି ପୂର୍ବାହ୍ନରେ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ କାର୍ଯ୍ୟାଳୟ ସମ୍ମିଳନୀ ପ୍ରକୋଷ୍ଠରେ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ଦକ୍ଷିଣ ପାର୍ଶ୍ଵ କମାଣ୍ଡ କ୍ଷେତ୍ର ନିମନ୍ତେ ଭୂତଳ ପାଇପ ଜଳସେଚନ ନେଟୱାର୍କ ପ୍ରଣାଳୀ ପାଇଁ ଚୁକ୍ତିନାମା ସ୍ଵାକ୍ଷରିତ ହୋଇଛି। ଏହି ଚୁକ୍ତିନାମା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର କେନାଲ ଡିଭିଜନ ନଂ-୧ର ଅଧିକ୍ଷଣ ଯନ୍ତ୍ରୀ ଶିବ ପ୍ରସାଦ ପାଣିଗ୍ରାହୀ ଓ ଏଲ୍‌ଆଣ୍ଡଟି ଲିମିଟେଡ, ଚେନ୍ନାଇର ଅଧିକାରୀ ଏସ୍‌ ଦକ୍ଷିଣାମୂର୍ତ୍ତିଙ୍କ ମଧ୍ୟରେ ସ୍ଵାକ୍ଷରିତ ହୋଇଥିଲା। ଏହି ଚୁକ୍ତିନାମା ସ୍ଵାକ୍ଷରିତ ସମୟରେ ଅତିରିକ୍ତ ଜିଲ୍ଲାପାଳ ତଥା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ପୁନର୍ବାସ ଓ ଥଇଥାନ ପ୍ରକଳ୍ପ ନିର୍ଦ୍ଦେଶକ ମହେନ୍ଦ୍ର କୁମାର ମହାପାତ୍ର, ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ନିରଞ୍ଜନ ରାଉତ, ବଲାଙ୍ଗିର ଉପଜିଲ୍ଲାପାଳ ତଥା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ସ୍ଵତନ୍ତ୍ର ଭୂ-ଅର୍ଜନ ଅଧିକାରୀ କୁମାର ନାଗଭୂଷଣ, ପ୍ରକଳ୍ପର ଅର୍ଥ ପରାମର୍ଶଦାତା ତଥା ମୁଖ୍ୟ ହିସାବ ଅଧିକାରୀ, ପ୍ରକଳ୍ପର ସମସ୍ତ ଅଧିକ୍ଷଣ ଯନ୍ତ୍ରୀ ଓ ଅଧିକାରୀ ଏବଂ ଏଲ୍‌ଆଣ୍ଡଟି ଲିମିଟେଡର ଅଧିକାରୀ ମାନେ ଉପସ୍ଥିତ ଥିଲେ।

ଚୁକ୍ତିନାମା ପରେ ଏହି କାର୍ଯ୍ୟର ନିର୍ମାଣ ନିମନ୍ତେ ୯୯୮ କୋଟି ଟଙ୍କା ଏବଂ ପରିଚାଳନା ଓ ରକ୍ଷଣାବେକ୍ଷଣ ସକାଶେ ୮.୯୨ କୋଟି ଟଙ୍କାର କାର୍ଯ୍ୟାଦେଶ ଏଲ୍‌ଆଣ୍ଡଟି ଲିମିଟେଡକୁ ପ୍ରଦାନ କରାଯାଇଥିଲା। ଏହାର ନିର୍ମାଣ କାର୍ଯ୍ୟ ଏଲ୍‌ଆଣ୍ଡଟି ଲିମିଟେଡ୍‌ ପକ୍ଷରୁ ଗତ ୧୫ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଏହା ୨୦୨୫ ମାର୍ଚ୍ଚ ୧୪ ସୁଦ୍ଧା ସମ୍ପୂର୍ଣ୍ଣ ହେବ। ପରିଚାଳନା ଓ ରକ୍ଷଣାବେକ୍ଷଣ ୨୦୨୫ ମସିହା ମାର୍ଚ୍ଚ ୧୫ ତାରିଖରୁ ଆରମ୍ଭ ହେବ ବୋଲି ଚୁକ୍ତିନାମା ହୋଇଛି।

ଏହାଦ୍ୱାରା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ଦକ୍ଷିଣ ପାର୍ଶ୍ଵ କମାଣ୍ଡ କ୍ଷେତ୍ରର ୨୭ ହଜାର ହେକ୍ଟର କ୍ଷେତ୍ରରେ ଜଳସେଚନ ହୋଇପାରିବ ଏବଂ ଜଳସେଚନ ବିତରଣ ପ୍ରଣାଳୀ ପାଇଁ ପ୍ରଯୁକ୍ତି ବିଦ୍ୟା-ସଂଗ୍ରହ-ନିର୍ମାଣ (ତତ୍‌କ୍ଷଣାତ ବ୍ୟବହାର ଯୋଗ୍ୟ) ଚୁକ୍ତି ଦ୍ଵାରା ୧ ହେକ୍ଟର ଉପ-ଚକ, ମାଇକ୍ରୋ ଜଳସେଚନ, ଶକ୍ତି ସଂଯୋଗ ପଦ୍ଧତି, ବୈଦ୍ୟୁତିକ ଯାନ୍ତ୍ରିକ ଉପାଦାନ, ଭାଗୀଦାରୀ ପରିଚାଳନା ସୁବିଧା ତଥା ୫ ବର୍ଷ ପର୍ଯ୍ୟନ୍ତ ପରିଚାଳନା ଓ ରକ୍ଷଣାବେକ୍ଷଣ ସମ୍ପର୍କରେ ଚୁକ୍ତିନାମା ହୋଇଛି।