ଦେଶରେ ବେକାର ସମସ୍ୟା ଏମିତି ଉତ୍କଟ ରୂପ ଧାରଣ କଲାଣି, ତାହା ଆକଳନ କରିବା କଷ୍ଟ । ଯାହା ପରିସଂଖ୍ୟାନର ଗଣିତ କହେ ସର୍ବମୋଟ ଲୋକସଂଖ୍ୟାରୁ ୬୦ କୋଟିରୁ ଊଦ୍ଧ୍ୱର୍ ଯୁବଗୋଷ୍ଠୀ ବେକାରୀ ଖାତାରେ ନାଁ ଲେଖାଇ କୌଣସି କାମଧନ୍ଦା ନପାଇ ନିଶାସେବନ, ଅପରାଧ,ରାହାଜାନୀ କି ଡ଼କାୟତି ଭଳି ଘୃଣ୍ୟକର୍ମରେ ଲିପ୍ତ ହେଉଛନ୍ତି । ଚାକିରି କରିବାକୁ ନାହିଁ ଉପଯୁକ୍ତ କର୍ମସଂସ୍ଥାନ କି ବେପାର କରିବାକୁ ନାହିଁ ଅର୍ଥ । ଘରେ ହାତଗୋଡ଼ ବାନ୍ଧି ବାପାମାଆଙ୍କ ଉପରେ ବୋଝ ହୋଇ ରହୁଛନ୍ତି ସିନା, କରିବାକୁ ନିଜ ପାଖରେ କିଛି ଯୁ ନାହିଁ । ଏହି ସମୟରେ ଯୁବଗୋଷ୍ଠୀ ଘରେ ନବସି ବରଂ ନିଜର ସାଧ୍ୟମତେ ରୋଜଗାରର ପନ୍ଥା ନିଜେ ବାହାର କରିବା ଦରକାର । ପାଠ ପଢ଼ିଛେ ମାନେ ଚାକିରି ନିହାତି କରିବା ଦରକାର, ଏହି ଧାରଣା ମନରୁ ବାହାର କରି ନିଜର ଶ୍ରମକୁ ନିଜ ଜ୍ଞାନ ବଳରେ ବ୍ୟବହାର କରି କିଛି ଧନ୍ଦା କରିବା ଦରକାର । ଦୁନିଆର ଏତେ ପ୍ରକାର ବ୍ୟବସ୍ଥା ଥିବା ସତ୍ତେ୍ୱ କାହିଁକି ତାହାର ଉପଯୋଗ କରାଯାଇପାରିବ ନାହିଁ । ବାଓଫ୍ଲକ ସେମିତି ଏକ ମାଧ୍ୟମ ଯାହା ଦ୍ୱାରା କମ୍ ଜାଗାରେ, କମ୍ ଖର୍ଚ୍ଚରେ, କମ୍ ସମୟରେ ଅଧିକ ମାଛ ଉତ୍ପାଦନ କରାଯାଇପାରିବ । ଏହି ବ୍ୟବସ୍ଥା ଯଦିଓ ଭାରତବର୍ଷରେ ବହୁଳ ପରିମାଣରେ ବ୍ୟବହାର କରାଯାଇନାହିଁ, କିନ୍ତୁ କେତେକ ଶିକ୍ଷିତ ଏହାକୁ ଚ୍ୟାଲେଞ୍ଜ ସହକାରେ ନେଇ ସଫଳତା ମଧ୍ୟ ପାଇଲେଣି । ବାଓଫ୍ଲକ ମାଛ ଚାଷ କଣ ଓ ଏହାକୁ ନେଇ ସଫଳତା ପାଇଥିବା ବ୍ୟକ୍ତିଙ୍କ ସହ ସ୍ୱତନ୍ତ୍ର ଉପସ୍ଥାପନା ।
ବାଓଫ୍ଲକ କଣ-
ବାଓଫ୍ଲକ ଟେକ୍ନୋଲୋଜି(ବିଏଫ୍ଟି) ଏକ ମାଛ ଚାଷର ନୂଆ ଅଧ୍ୟାୟ ଓ ଲାଭଜନକ ମାଧ୍ୟମ । ଯାହାଦ୍ୱାରା ଅତିକମ୍ ସମୟରେ , ସ୍ୱଳ୍ପ ଖର୍ଚ୍ଚରେ, କମ୍ ପୁଞ୍ଜି ନିବେଶରେ ସହଜ ଉପାୟରେ ଅଧିକ ଅମଳ ଓ ରୋଜଗାର କରିବାର ବାଟ ବତାଇଥାଏ । ଦେଶରେ ଯେମିତି ଭାବରେ ସ୍ଥାନାଭାବ, ଖାଦ୍ୟାଭାବ, ତଥା ପରିବେଶ ଦୂଷିତ କାରଣରୁ ଉତ୍ପାଦିତ ଦ୍ରବ୍ୟର ବ୍ୟବହାର ବିପଦଜ୍ଜନକ ହୋଇପଡ଼ିଛି । ଏହି ପଦ୍ଧତିରେ ଉତ୍ପାଦିତ ହେଉଥିବା ମାଛ ଖାଦ୍ୟ ଆବଶ୍ୟକତା ପୂରଣ କରିବା ସହିତ ସୁସ୍ଥ ଓ ପ୍ରୋଟିନଯୁକ୍ତ ମଧ୍ୟ ହୋଇଥାଏ । ମାଛ ଚାଷରେ ବିଶେଷ କରି ବାହାର ଜଳ କୁଣ୍ଡ ବା ପୋଖରୀ ଭିତରେ ପ୍ରବେଶ କରିବା କିମ୍ବା କୌଣସି ବାହ୍ୟ କାରକଙ୍କ କାରଣରୁ ଦୂଷିତ ହେବା ଦେଖାଯାଇଥାଏ । କିନ୍ତୁ ଏହି ପଦ୍ଧତିରେ ସେସବୁର ଭୟ ଖୁବ୍ କମ୍ ଥାଏ । ପରିବେଶ ପ୍ରତି କୌଣସି ବିପଦ ଯେମିତି ସୃଷ୍ଟି କରେ ନାହିଁ ମଣିଷ ସମାଜ ଖାଦ୍ୟ ଭାବରେ ଗ୍ରହଣ କଲେ ମଧ୍ୟ କୌଣସି ପ୍ରଭାବ ପକାଇ ନଥାଏ । ଏହି ପଦ୍ଧତି ପାଇଁ ଅର୍ଥ ଯେମିତି ବାଧକ ସାଜେ ନାହିଁ, ସ୍ଥାନ ବି ସେମିତି ଅନ୍ତରାୟ ସୃଷ୍ଟି କରେ ନାହିଁ । କିଚେନ୍ ଗାର୍ଡ଼େନ ଭଳି ନିଜର କମ ପରିମିତ ଜାଗାରେ ଏହାକୁ ବ୍ୟବସାୟିକ ଉଦ୍ଦେଶ୍ୟରେ ମଧ୍ୟ ଉପଯୋଗ କରିହେବ ।
ବାଓଫ୍ଲକ ବ୍ୟବସ୍ଥାରେ କାହିଁକି ମାଛଚାଷ-
ବିଶ୍ୱରେ ଲୋକସଂଖ୍ୟା ବୃଦ୍ଧି ପାଇବା କାରଣରୁ ଦେଖାଯାଇଥିବା ଖାଦ୍ୟ ସମସ୍ୟାରେ ଏହିଚାଷ ତାହାର ଭରଣା କରିବ ବୋଲି ଏକ ଆଶାର ଆଲୋକ ଦେଖାଦେଇଛି । ବିଶ୍ୱରେ ୨୦୨୦ ବେଳକୁ ୨୩ ମିଲିୟନ ଟନ୍ ସାମୁଦ୍ରିକ ଖାଦ୍ୟର ଆବଶ୍ୟକତା ଦେଖାଦେବ ବୋଲି ଆକଳନ କରାଯାଉଛି । ସମୁଦ୍ରରେ ପ୍ରଦୂଷଣର ପରିମାଣ ବୃଦ୍ଧି ପାଉଥିବା କାରଣରୁ ତାହାର ଭରଣା କରବାକୁ ନେଇ ଏକ ସନ୍ଦିହାନ ହୋଇପଡ଼ିଛି ମଣିଷ ସମାଜ । ଏହାର ଭରଣା କରିବାକୁ ଅତ୍ୟାଧୁନିକ ଉପାୟରେ କରାଯାଉଥିବା ମାଛଚାଷ ଭରଣା କରିବ ବୋଲି ଆଶା ପ୍ରକଟ ହୋଇଛି । ଖାଦ୍ୟ ଓ କୃଷି ସଂଗଠନ(ଏଫ୍ଏଓ)ର ଏହି ଆକଳନ ଯଦି ସତ ହୁଏ, ତାହେଲେ ମାଛ ଚାଷର ଆବଶ୍ୟକତା କେତେ ତାହା ସେଥିରୁ ସ୍ପଷ୍ଟ ଅନୁମେୟ । ମାଛ ହେଉ ବା କୃଷି ହେଉ ସେଥିପାଇଁ ଦରକାର ପଡ଼ୁଥିବା ଜଳ, ଜମି ବି ଦିନକୁଦିନ କମିବାରେ ଲାଗିଛି । ଏହିଭଳି ପରିସ୍ଥିତିରେ ଯଦି କମ ସ୍ଥାନରେ କିମ୍ବା କମ ଜଳରେ ଖାଦ୍ୟ ଉତ୍ପାଦନର ପରିମାଣ ବୃଦ୍ଧି କରି ନହେବ ସମସ୍ୟା ନିୟନ୍ତ୍ରଣ ବାହାରକୁ ଚାଲିଯିବା ଥୟ । ଯଦି ଜଳ ସମସ୍ୟା ଆଜିକା ଦିନରେ ଦେଖାଦେଇଛି, ତାହା କେବଳ କୃଷି କ୍ଷେତ୍ରରୁ ୭୦ଭାଗ ଜଳ ବ୍ୟବହାର ନହୋଇ ନଷ୍ଟ ହୋଇଯାଉଛି । ଯାହାକୁ ଧରି ରଖିବାର ବ୍ୟବସ୍ଥା ମଧ୍ୟ ଆମମାନଙ୍କ ପାଖରେ ବିକଳ୍ପ ଭାବରେ ନାହିଁ । ଜଣେ ଲୋକ ଯେତିକି ଖାଦ୍ୟ ଭକ୍ଷଣ କରୁଛି, ଦିନକୁ ୨ରୁ୫ ହଜାର ଲିଟର ଜଳର ଆବଶ୍ୟକତା ରହିଛି । ଏହି ସବୁ କ୍ଷେତ୍ରରେ ଏହି ଜଳର ପରିମାଣକୁ ଏଡ଼ାଇବାକୁ ହେଲେ ବାଓଫ୍ଲକ ବ୍ୟବସ୍ଥା ଉତ୍କୃଷ୍ଟ ମାଧ୍ୟମ ।
ବାଓଫ୍ଲକ ପଦ୍ଧତିରେ କେଉଁମାଛ ଚାଷ ହୋଇପାରିବ-
ଏହି ପଦ୍ଧତିରେ ସବୁ ମାଛ ଚାଷ କରିବା ସମ୍ଭବପର ହୁହେଁ । ଜୈବ ପ୍ରଯୁକ୍ତି ବିଦ୍ୟାରେ ଆଳୁ ଓ ଟମାଟୋ ଗୋଟିଏ ଗଛରେ ଫଳାଇବାର ଚେଷ୍ଟାରେ ଯେମିତି ପୋମାଟୋ ଗଛର ଉଦ୍ଭାବନ ବୈଜ୍ଞାନିକମାନେ କରିଥିଲେ, ଏହାକୁ କିଚେନ ଗାର୍ଡ଼େନ କିମ୍ବା ବାଲକୋନୀ କି ପୋର୍ଟିକୋରେ ଚାଷ କରାଯାଉଥିଲା, ଏହା ସେମିତି ଅତି କମ୍ ଜାଗାରେ ଚାଷ କରାଯାଇପାରିବ । ଏମିତିକି କମ୍ ଖର୍ଚ୍ଚରେ ପ୍ରଥମେ ଏହି ଛାଷକୁ ମଧ୍ୟ ପରୀକ୍ଷାମୂଳକ ଭାବରେ କରାଯାଇପାରିବ । ଚିଙ୍ଗୁଡ଼ି କିମ୍ବା ଅନ୍ୟାନ୍ୟ କେତେକ ନିର୍ଦ୍ଦିଷ୍ଟ ବଡ଼ ମାଛକୁ ଚାଷ କରିବା ସମ୍ଭବ ନୁହେଁ । କଉ, ମାଗୁର, ସିଙ୍ଗି,ରୋହି, ଭାକୁଡ଼,ତେଲପିଆ, ମିରକାଳୀ ଆଦି କେତେକ ମାଛକୁ ଚାଷ କରାଯାଇପାରିବ, ଯାହା ଅବଶ୍ୟ ବିଭିନ୍ନ ପ୍ରକାର ଉନ୍ନତମାନର ଜାଆଁଳ ଉପରେ ନିର୍ଭର କରିବାକୁ ପଡ଼େ । ଏହି ପଦ୍ଧତିରେ ଚାଷ କରାଯାଉଥିବା ମାଛଙ୍କ ଦାମ୍ ବଜାରରେ ଅଧିକ । ସେହି କାରଣରୁ ଏହି ମାଛର ଆବଶ୍ୟକତାକୁ ଲକ୍ଷ୍ୟ କରି ମାର୍କେଟିଂରେ କୌଣସି ପ୍ରତିବନ୍ଧକ ନଥିବା କାରଣରୁ ଓ ଅଧିକ ଉତ୍ପାଦନ ଅଧିକ ହେଉଥିବାରୁ ଚାଷୀ ଲାଭ ଅଧିକ ପାଇପାରେ ।
ବାଓଫ୍ଲକ ମାଛ ଚାଷରେ ଗଣିତ-
ଏହି ଚାଷରେ ମୁଖ୍ୟତଃ ଖାଦ୍ୟଚକ୍ର କାର୍ବନ ଓ ନାଇଟ୍ରୋଜେନର ଅନୁପାତକୁ ସନ୍ତୁଳିତ କରିଥାଏ । ଆମୋନିଆକୁ ଏହି ପଦ୍ଧତିରେ ଉପକାରୀ ବ୍ୟାକ୍ଟେରିଆରେ ପରିଣତ କରିବା କାରଣରୁ ମାଛ ଚାଷ ପାଇଁ ଉପଯୋଗୀ ହୋଇଥାଏ, ଯାହାକୁ ମାଛମାନେ ଖାଦ୍ୟ ଭାବରେ ଗ୍ରହଣ କରି ଶୀଘ୍ର ବଡ଼ ହୋଇଥାନ୍ତି । ବାଓଫ୍ଲକ ପ୍ରଯୁକ୍ତିବିଦ୍ୟା ୧୯୮୮ ମସିହାରେ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇଥିଲା । ଯଦିଓ ଏହା ଭାରତବର୍ଷରେ ଏତେ ଲୋକପ୍ରିୟ ହୋଇପାରିନି, କିନ୍ତୁ ଜାଆଁଳ ଓ ମିଠାଜଳରେ ଚିଙ୍ଗୁଡ଼ି ଚାଷରେ ସଫଳତା ମିଳିଛି । ଏହି ପ୍ରଯୁକ୍ତିବିଦ୍ୟାକୁ କେରଳରେ ପ୍ରଥମେ ବ୍ୟବହାର କରାଯାଇ ଅବଶ୍ୟ ସଫଳତା ମିଳିଥିଲା । ବାଓଫ୍ଲକ ବ୍ୟବସ୍ଥାରେ ଦୁଇଟି ଜଟିଳ ବ୍ୟବସ୍ଥାକୁ ସହଜ କରାଯାଇପାରେ, ତାହା ହେଲା ବ୍ୟବହାର ଉପଯୋଗୀ ହୋଇପାରୁ ନଥିବା ଦ୍ରବ୍ୟରୁ ଖାଦ୍ୟପୋଯୋଗୀ ଓ ଫ୍ଲକ ବ୍ୟବସ୍ଥାରୁ ପୋଷକତତ୍ତ୍ୱ ଗ୍ରହଣ କରି ମାଛକୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ । ବାଓଫ୍ଲୋକ ମୁଖ୍ୟତଃ ନାଇଟ୍ରୋଜେନ ମେଟାବୋଲିକ ୱେଷ୍ଟ ଯଥା ଆମୋନିଆ, ନାଇଟ୍ରାଇଟରୁ ମାଛଙ୍କ ଉପଯୋଗୀ ସୁଷମ ଖାଦ୍ୟ ପ୍ରସ୍ତୁତ କରିଥାଏ । ଆମୋନିଆ ହେଟୋଟ୍ରୋଫିକ ବ୍ୟାକ୍ଟେରିଆଙ୍କ ଦ୍ୱାରା ପ୍ରୋଟିନରେ ପରିଣତ ହେବା ଯୋଗୁଁ ମାଛମାନେ ୨/୩ ମାସ ଭିତରେ ଆଶାତୀତ ଭାବରେ ବଢ଼ିଥାନ୍ତି । ବାଓଫ୍ଲୋକ ପଦ୍ଧତିରେ କରାଯାଉଥିବା ମାଛ ଚାଷକୁ ପ୍ରତି ୧୫ଦିନ ବ୍ୟବଧାନରେ ଏହାର ଓଜନ, ଲମ୍ବ ଓ ବୃଦ୍ଧିର ଅନୁପାତକୁ ପରୀକ୍ଷା କରାଯାଇଥାଏ । ଇଲେକଟ୍ରୋନିକ ମାପଯନ୍ତ୍ରରେ ମାଛର ନିର୍ଦ୍ଦିଷ୍ଟ ବୃଦ୍ଧି ହାର, ଓଜନ ବୃଦ୍ଧିର ଅନୁପାତ ଆଦିକୁ ଗୁରୁତ୍ୱ ଦିଆଯାଇଥାଏ ।
ବାଓଫ୍ଲକ ବ୍ୟବସ୍ଥାରେ ଲାଭ-
-ଏହା ପରିବେଶକୁ ସୁହାଉଥିବା ମାଛ ଚାଷର ଏକ ଉନ୍ନତ ପଦ୍ଧତି, ଯାହାଦ୍ୱାରା ନା ପରିବେଶ ବା ମଣିଷ ଉପରେ କୌଣସି ପ୍ରଭାବ ପକାଇଥାଏ ।
-ଏହି ପଦ୍ଧିତି ଜମି ଓ ଜଳର ସୁବିନିଯୋଗର ଏକ ମାଧ୍ୟମ, ଯାହା ଦ୍ୱାରା କମ ଜମି ଓ ଜଳରେ ଅଧିକ ଉତ୍ପାଦନ କରାଯାଇପାରିବ ।
-ଅତି କମ୍ ଜଳରେ ଏହି ଚାଷ କରାଯାଇପାରିବ । ବାରମ୍ବାର ଜଳର ଆବଶ୍ୟକତା ଏହି ପଦ୍ଧତିରେ ପ୍ରାୟ ପଡ଼ି ନଥାଏ ।
-ଏହା କମ ସମୟ ଅର୍ଥାତ ୩ମାସ ଭିତରେ ଉତ୍ପାଦନ କରାଯାଇପାରିବ । ଏହାର ଉତ୍ପାଦନର ପରିମାଣ ବି ବହୁତ ଅଧିକ । ମାଛମାନେ ଏହି ଉପାୟରେ ବେଶୀ ଜଳ କିମ୍ବା ଖାଦ୍ୟ ଆବଶ୍ୟକ କରିବେ ନାହିଁ । ଦେଖାଯାଇଥାଏ ମଧୁରଜଳରେ ଚିଙ୍ଗୁଡ଼ି ଚାଷ କଲେ, ଠିକ ଅମଳ ସମୟରେ ମାଛମାନେ ଏତେ ପରିମାଣର ଖାଦ୍ୟଗ୍ରହଣ କରିଥାନ୍ତି ଯାହା ଲାଭର ହାର କମିଯାଇଥାଏ । ଏହି ବ୍ୟବସ୍ଥାରେ କିନ୍ତୁ ମାଛମାନେ ବେଶୀ ଖାଦ୍ୟର ଆବଶ୍ୟକତା ନକରି ଆଶାଜନକଭାବେ ବଢ଼ୁଥିବା କାରଣରୁ ଅଧିକ ଲାଭଜନକ ହୋଇଥାଏ ।
-ଏହା ଜଳ ପ୍ରଦୂଷଣକୁ ରୋକିଥାଏ, ଜଳବାହିତ ରୋଗରେ ଅନ୍ୟ ଟ୍ୟାଙ୍କକୁ ମଧ୍ୟ ପ୍ରଭାବିତ କରି ନଥାଏ ।
-ଏହାର ଖାଦ୍ୟ ମଧ୍ୟ ପ୍ରସ୍ତୁତ କରିବାରେ ବିଶେଷ କିଛି ଖର୍ଚ୍ଚ ଅଧିକ ପଡ଼ି ନଥାଏ ।
-ଏହା ପଦ୍ଧତିରେ ଗୁଣାତ୍ମକ ଖାଦ୍ୟପାଇଁ ଅଧିକ ଦାମରେ ଦାମୀ କମ୍ପାନୀଙ୍କ ଠାରୁ ଖାଦ୍ୟ କିଣିବାକୁ ପଡ଼ି ନଥାଏ ।
-ଏହି ପଦ୍ଧତିରେ ଯେକୌଣସି ସ୍ଥାନରେ କିମ୍ବା ଛୋଟ ଜାଗାରେ ଚାଷ କରିବା ସୁବିଧାଜନକ ହୋଇଥାଏ । ଏଥିପାଇଁ ଏକର ଏକର ଜମିର ଆବଶ୍ୟକତା ପଡ଼ି ନଥାଏ ।
-ବେଶୀ ଖର୍ଚ୍ଚର ପରିମାଣ ନଥିବାରୁ ଯଦି କୌଣସି କାରଣରୁ କ୍ଷତି ହୁଏ, ଚାଷୀ ଏହି କ୍ଷତିକୁ ସମ୍ଭାଳି ନେଇଥାଏ ।
-ସାଧାରଣ ମାଛ ଚାଷ ଠାରୁ ଏହାର ଲାଭ ବହୁଗୁଣିତ ହୋଇଥିବାରୁ, କମ ଖର୍ଚ୍ଚରେ ଓ କମ ସମୟରେ ବେଶୀ ଫାଇଦା ମିଳିଥାଏ । ଏମିତିକି ଗୋଟେ ଟ୍ୟାଙ୍କରେ ବର୍ଷକୁ ୩/୪ ଥର ଚାଷ କରିବାରେ କିଛି ଅସୁବିଧା ନାହିଁ ।
ବାଓଫ୍ଲକରେ ଅସୁବିଧା କଣ-
-ଏହା ଏକ ଉନ୍ନତମାନର ଚାଷ ହୋଇଥିବାରୁ ବିଜୁଳିର ଆବଶ୍ୟକତା ରହିଛି, ଯଦିଓ ବିଜୁଳି ଏତେ ପରିମାଣରେ ଖର୍ଚ୍ଚ ହୁଏ ନାହିଁ ।
-ନାଇଟ୍ରାଇଟ ଓ ଆମୋନିଆ ହେଟୋଟ୍ରୋଫିକ ବ୍ୟାକ୍ଟେରିଆଙ୍କ ଦ୍ୱାରା ପ୍ରୋଟିନରେ ପରିଣତ ହେବା ଯୋଗୁଁ ମାଛମାନେ ୨/୩ ମାସ ଭିତରେ ଆଶାତୀତ ଭାବରେ ବଢ଼ିଥାନ୍ତି । କିନ୍ତୁ ଏହି ପଦ୍ଧିତରେ ନାଇଟ୍ରାଇଟ ଓ ଆମୋନିଆ ଯଦି ବିଳମ୍ବରେ ପରିବର୍ତ୍ତିତ ହୋଇଥାନ୍ତି, ତାହେଲେ ପରିବେଶ ପ୍ରଦୂଷଣ ହେବାର ଆଶଙ୍କା ରହିଛି ।
-ପୋଖରୀରେ ମାଛ ଛାଡ଼ିବା ଓ ବାଓଫ୍ଲକରେ ଚାଷ କରିବା ଭିତରେ ଫରକ ହେଲା, ଏହି ପଦ୍ଧତିରେ ବେଶୀ ସତର୍କତା ଅବଲମ୍ବନ କରିବାକୁ ପଡ଼ିଥାଏ ।
-ଏହି ପଦ୍ଧତିରେ ଚାଷ କରିବାକୁ ହେଲେ ଆବଶ୍ୟକୀୟ ଜ୍ଞାନକୌଶଳ ଜାଣିବା ଦରକାର, ଯାହା ଶିକ୍ଷିତ ଚାଷୀମାନେ ଏହାର ଉପଯୋଗ ଅଧିକ କରିପାରିବେ ।
-ପାଗ ପରିବର୍ତ୍ତନ ସହିତ ସୂର୍ଯ୍ୟକିରଣର ଉତ୍ତାପ ମଧ୍ୟ କିଛି ପରିମାଣରେ ପ୍ରଭାବିତ କରିଥାଏ, ସେଥିପାଇଁ ଏହାକୁ ଦୃଷ୍ଟିଦେଇ ଚାଷର ସାବଧାନତା ଅବଲମ୍ବନ କରିବାକୁ ପଡ଼ିଥାଏ ।
ଚାକିରି ପଛରେ ନଗୋଡାଇ ‘ବାଓଫ୍ଲକ’ ପଦ୍ଧତିରେ ମାଛଚାଷ କଲେ ଅଧିକ ଲାଭ ପାଇପାରିବୁ
ବାଲେଶ୍ୱର ଜିଲ୍ଲାର ବାହାବଳପୁର ଦୁଇ ଜଣ ଯୁବକ ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ ଚାକିରିପଛରେ ନ ଗୋଡାଇ ଏହି ବାଓଫ୍ଲକ ମାଛ ଚାଷକୁ ଆପଣେଇଛନ୍ତି। ଉଦୀୟମାନ ଯୁବକ ଦ୍ୱୟ ହେଉଛନ୍ତି ବାହାବଳପୁର ମେରାଇନଥାନା ଅର୍ନ୍ତଗତ ଦୁବୁଲାଗଡି ଗାଁର ବିବେକାନନ୍ଦ ଦାସଙ୍କ ପୁଅ ଶ୍ରୀକୃଷ୍ଣ ଦାସ ଏବଂ ରାମକୃଷ୍ଣ ବେରାଙ୍କ ପୁଅ ରାଜେଶ କୁମାର ବେରା । ଏହି ଚାଷକୁ ନେଇ ସେମାନଙ୍କର କଣ ରହିଛି ଅନୁଭୂତି ସେ ସମ୍ପର୍କରେ ଏକ ସ୍ୱତନ୍ତ୍ର ଆଲୋଚନା ।