ଦେବଗଡ଼,ଏନ୍ଏନ୍ଏସ୍: ରିଆମାଳ ଥାନା କଂସର ଫାଣ୍ଡି ଅନ୍ତର୍ଗତ ବରଘାଟ ଗ୍ରାମ ନିକଟସ୍ଥ ଗୋହିରା ଜଳଭଣ୍ଡାର ଠାରେ ଗତକାଲି ବିଳମ୍ବିତ ରାତ୍ରିରେ ଡଙ୍ଗାବୁଡ଼ି ଜଣେ ବ୍ୟକ୍ତି ନିଖୋଜ ଥିବା ବେଳେ ଅନ୍ୟ ୫ଜଣଙ୍କୁ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ ବରଘାଟ ଅପର ପାଶ୍ୱରେ ଥିବା ଠେଲକଗୁଡ଼ି ଗ୍ରାମରେ ରାତ୍ରି ପ୍ରାୟ ୧୦ଟା ସମୟରେ ଲକ୍ଷ୍ମିପୂଜା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା।
ଏଥିରେ ସାମିଲ ହେବାପାଇଁ ବରଘାଟ ଗ୍ରାମର ଜଗନ୍ନାଥ ସି, ହରେନ ଜମକିଆଲ, ନାରାୟଣ ଜମକିଆଲ, ବିଜୟ କୁମାର ସାହୁ, ମିଲୁ ସାହୁ ଓ ସମ୍ବଲପୁର ଜିଲ୍ଲା ଅର୍ଡାବହାଲ ଗ୍ରାମର ପଦୁ ନନ୍ଦନ ଜୟପୁରିଆ ମିଶି ମାଛଧରା ୨ଟି ହୁଲି ଡଙ୍ଗାରେ ବସି ଜଳଭଣ୍ଡାର ପାର ହେଉଥିବା ସମୟରେ ବଇଦାରପାଳ ଠାରେ ଡଙ୍ଗାଟି ହଠାତ୍ ବୁଡ଼ି ଯାଇଥିଲା। ଫଳରେ ଡଙ୍ଗାରେ ଥିବା ଜଗନ୍ନାଥ ନିଖୋଜ ହୋଇଯାଇଥିବା ବେଳେ ଅନ୍ୟ ୫ଜଣଙ୍କୁ ସେମାନଙ୍କ ପଛରେ ଆସୁଥିବା ଅନ୍ୟ କେତେକ ଗ୍ରାମବାସୀ ଉଦ୍ଧାର କରିଥିଲେ।
