ଲାଲଗଡ଼ରେ ଉଡ଼ିଲା ତ୍ରିରଙ୍ଗା, ଶୁଭିଲା ଭାରତ ମାତା କି ଜୟ ସ୍ଲୋଗାନ

ସ୍ୱାଭିମାନ ଅଞ୍ଚଳରେ ପ୍ରତିଷ୍ଠା ହେଲା ଅସ୍ଥାୟୀ ବିଏସଏଫ କ୍ୟାମ୍ପ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ଯୋଡ଼ାମ୍ବ ପଞ୍ଚାୟତର ମାଓ ଅଧ୍ୟୁଷିତ ହନ୍ତାଳଗୁଡ଼ା ଗ୍ରାମରେ ପ୍ରତିଷ୍ଠା ହେଲା ଆଉ ଗୋଟିଏ ବି.ଏସ.ଏଫର ଅସ୍ଥାୟୀ କ୍ୟାମ୍ପ। ମାଲକାନଗିରି ଆରକ୍ଷୀ ଅଧୀକ୍ଷକ ରିଷିକେଶ ଡି ଖିଲାରୀଙ୍କ ନେତୃତ୍ୱରେ ବି.ଏସ.ଏଫ କମାଣ୍ଡାଣ୍ଟ, ଏସ.ଡି.ପି.ଓ ପ୍ରହଲ୍ଲାଦ ସହାଇ ମୀନା, ବି.ଏସ.ଏଫ କମାଣ୍ଡାଣ୍ଟଙ୍କ ସମେତ ବି.ଏସ.ଏଫର ୯ ନମ୍ବର ବାଟାଲିୟନ ଯବାନ, ଡି.ଭି.ଏଫ, ଏସ.ଓ.ଜି ବାହିନୀର ଯବାନଙ୍କ କଡ଼ା ପ୍ରହରାରେ ଏହି ଅସ୍ଥାୟୀ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି।

କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ନଳକୂପ ଖନନ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ପରେ ବି.ଏସ.ଏଫର ଯବାନମାନେ ଅସ୍ଥାୟୀ ତମ୍ବୁ ନିର୍ମାଣ କରିଥିଲେ। ଏହାପରେ ପାରମ୍ପରୀକ ରୀତି ନୀତି ଅନୁଯାୟୀ ପୂଜାର୍ଚ୍ଚନା ହେବାପରେ ଅଧିକାରୀମାନେ ପରସ୍ପରକୁ ପ୍ରସାଦ ସେବନ କରାଇଥିଲେ। ପରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରାଯାଇ ଭାରତ ମାତା କି ଜୟ, ବନ୍ଦେ ମା ତରମ ଧ୍ୱନିରେ ଗ୍ରାମ ପ୍ରକମ୍ପିତ ହୋଇଉଠିଥିଲା। ଏହାପରେ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଖିଲାରୀ ଗ୍ରାମବାସୀଙ୍କ ସହ ସେମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଛନ୍ତି। ଏଥିସହ ସମସ୍ୟା ସମାଧାନ ପାଇଁ ଚେଷ୍ଟା କରାଯିବ ବୋଲି ପ୍ରତିଶ୍ର୍ରୁତି ଦେଇଛନ୍ତି।

ଏଠାରେ ସୂଚନା ଯୋଗ୍ୟ ଯେ, ମାଲକାନଗିରି ଜିଲ୍ଲାର ଅନ୍ୟାନ୍ୟ ବ୍ଲକରେ ମାଓବାଦୀଙ୍କ ଗତିବିଧି ବି.ଏସ.ଏଫ ଯବାନଙ୍କ କଡ଼ା ପ୍ରହରା ଓ କ୍ୟାମ୍ପ ଯୋଗୁଁ ପୂର୍ବାପେକ୍ଷା ହ୍ରାସ ପାଇଥିବା ବେଳେ ସ୍ୱାଭିମାନ ଅଞ୍ଚଳ ଓ ମାଥିଲି ବ୍ଲକର କିଛି ଅଞ୍ଚଳରେ ମାଓ ଗତିବିଧି ଦେଖିବାକୁ ମିଳିଛି। ତେବେ ପୂର୍ବରୁ ଜାନବାଇ, ପାପରମେଟଲା, ଜନ୍ତାପାଇରେ ବି.ଏସ.ଏଫ କ୍ୟାମ୍ପ ପ୍ରତିଷ୍ଠା ହୋଇଥିବା ବେଳେ ବର୍ତ୍ତମାନ ହନ୍ତାଳଗୁଡ଼ାରେ କ୍ୟାମ୍ପ ପ୍ରତିଷ୍ଠା ହୋଇଥିବା ମାଓ ଗତିବିଧି ହ୍ରାସ ପାଇବା ଆଶଙ୍କା କରାଯାଉଛି। ତେବେ ଗୁରୁପ୍ରିୟା ସେତୁ ନିର୍ମାଣ ହେବାପରେ ଧିରେ ଧିରେ ରାସ୍ତାଘାଟ ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରାଯାଉଛି। ରାସ୍ତା ନିର୍ମାଣ ସହ ଧିରେ ଧିରେ ଗୋଟିଏ ପରେ ଗୋଟିଏ ଗ୍ରାମରେ ଲୋକଙ୍କ ସୁରକ୍ଷା ପାଇଁ ବି.ଏସ.ଏଫ କ୍ୟାମ୍ପ ପ୍ରତିଷ୍ଠା କରାଯାଉଛି।