ଦେବଗଡ଼,ଏନ୍ଏନ୍ଏସ୍: ଡକାୟତି ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ବାରକୋଟ ଥାନା ପୁଲିସ ୩ ଜଣ ମୋଷ୍ଟ ୱାଣ୍ଟେଡ୍ ପିଏଲଏଫଆଇ ସଦସ୍ୟଙ୍କୁ ଗିରଫ କରିବା ସହ ସେମନାଙ୍କ ଠାରୁ ବିଭିନ୍ନ ମାରଣାସ୍ତ୍ର ଜବତ କରିବାରେ ସଫଳ ହୋଇଛି। ଏ ସମ୍ପର୍କରେ ଶନିବାର ଜିଲ୍ଲା ପୁଲିସ ମୁଖ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦେବଗଡ଼ ଏସପି ରାହୁଲ ଜୈନ ସୂଚନା ଦେଇଛନ୍ତି।
ଏସପି ଶ୍ରୀ ଜୈନଙ୍କ ସୂଚନା ଅନୁଯାୟୀ ଗତ ୧୨ ତାରିଖରେ ରାତ୍ରି ପ୍ରାୟ ୧୧ଟା ସମୟରେ ବାରକୋଟ ଥାନା ଅନ୍ତର୍ଗତ ଆମ୍ବଗାଁ ଠାରେ ଥିବା ଏକ ବିଦ୍ୟାଳୟର ପରିତ୍ୟକ୍ତ ଛାତ୍ରାବାସରେ ଏକାଧିକ ବ୍ୟକ୍ତି ମାରଣାସ୍ତ୍ର ସହ ଡକାୟତି ପାଇଁ ଯୋଜନା କରୁଥିବା ଖବରପାଇ ବାରକୋଟ ଥାନାଅଧିକାରୀ ଚିତ୍ତରଞ୍ଜନ ବେହେରାଙ୍କ ନେତୃତ୍ୱରେ, ସବ୍ ଇନ୍ସପେକ୍ଟର ଦେବବ୍ରତ ନାଏକ ସଦଳବଳେ ସେଠାରେ ପହଞ୍ଚି ଉକ୍ତ ସ୍ଥାନରେ ଚଢ଼ଉ କରିଥିଲେ। ଏହି ସମୟରେ ସେଠାରୁ ୨ଜଣ ପିସ୍ତଲ ଦେଖାଇ ଫେରାର ହେବାରେ ସକ୍ଷମ ହୋଇଥିବା ବେଳେ ପୁଲିସ ଅନ୍ୟ ୩ ଜଣଙ୍କୁ କାବୁ କରିଛି।
