ଡଙ୍ଗା ଓଲିଟିବା ଘଟଣା: ନିଖୋଜ ଅନ୍ୟ ୨ ଜଣଙ୍କ ମୃତ ଦେହ ଉଦ୍ଧାର

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡାସ୍ଥିତ ବାଲିମେଳା ଜଳ ଭଣ୍ଡାରରେ ଗତ ବୁଧବାର ଦିନ ଏକ ଦେଶି ଡଙ୍ଗା ଓଲଟିବା ଘଟଣାରେ ନିଖୋଜ ସମସ୍ତ ୩ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଉଦ୍ଧାରକାରୀ ଦଳ ଆଜି ଅନ୍ୟ ୨ ଜଣ ମାଆ ଓ ଶିଶୁ କନ୍ୟାଙ୍କ ମୃତ ଦେହ ଉଦ୍ଧାର କରିଥିବା ବେଳେ ଗତକାଲି ଜଣେ ବୁଦ୍ଧାଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା। ଆଜି ଉଦ୍ଧାର ହୋଇଥିବା ମୃତକମାନେ ହେଲେ ସାରଦି ଶିଶାଙ୍କ ପତ୍ନୀ ଯମୁନା ଶିଶା(୩୫), ତାଙ୍କ ୮ ମାସର ଶିଶୁପୁତ୍ର ଜଗା ଶିଶା। ସେହିପରି ଗତକାଲି ସ୍ୱର୍ଗତଃ ଚୈତନ୍ୟ ମୁଦୁଲିଙ୍କ ପତ୍ନୀ ବୁଦ୍ରି ମୁଦୁଲି (୬୨)ଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା। ସମସ୍ତ ମୃତକ ଦାମୋଦରବେଡା ଗ୍ରାମର ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ ଗତ ବୁଧବାର ଦିନ ନାକାମାମୁଡ଼ି ପଞ୍ଚାୟତ ଅନ୍ତର୍ଗତ ଦାମଦୋରବେଡ଼ା ଗ୍ରାମର ୧୪ ଜଣ ବ୍ୟକ୍ତି ଏକ ଦେଶୀ ଡଙ୍ଗା ସାହାଯ୍ୟରେ ଓରାପଦର ଘାଟରୁ ବକୁଲି ଗ୍ରାମକୁ ଯାଉଥିଲେ। ଏହି ସମୟରେ ଜଳଭଣ୍ଡାର ମଧ୍ୟରେ ଭାରସାମ୍ୟ ହରାଇ ଡଙ୍ଗାଟି ଓଲଟି ପଡ଼ିଥିଲା। ଫଳରେ ଏଥିରେ ଥିବା ୧୪ ଜଣଙ୍କ ମଧ୍ୟରୁ ୧୧ ଜଣ ପହଁରି ପହଁରି ଡଙ୍ଗା ଘାଟକୁ ପଳାଇ ଆସିଥିଲେ। ଆଉ ୩ ଜଣ ନିଖୋଜ ଥିଲେ। ମାଲକାନଗିରି ଅଗ୍ନିଶମ ବାହିନୀର ସେବା ଅଧିକାରୀ ସରୋଜ କୁମାର ବେହେରାଙ୍କ ନେତୃତ୍ୱରେ ଓଡ୍ରାଫର ୧୮ ଜଣ ଯବାନ ଓ ଅଗ୍ନିଶମ ସେବା ବାହିନୀର ୮ ଜଣ କର୍ମଚାରୀଙ୍କ ସହାୟତାରେ ନିଖୋଜଙ୍କୁ ଉଦ୍ଧାର କରାଯାଇଛି। ପରେ କୁଡ଼ୁମୁଲୁଗୁମ୍ମା ତହସିଲଦାର ବିଜୟ କୁମାର ମାଣ୍ଡାଙ୍ଗିଙ୍କ ଉପସ୍ଥିତିରେ ଚିତ୍ରକୋଣ୍ଡା ଥାନା କର୍ମଚାରୀ ଓ ଡାକ୍ତର ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛନ୍ତି।