ନବରଙ୍ଗପୁର ସାଂସଦଙ୍କ ମାଲକାନଗିରି କୋଭିଡ ଚିକିତ୍ସାଳୟ ପରିଦର୍ଶନ

ମାଲକାନଗିରି,ଏନ୍ଏନ୍ଏସ୍: ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଆଜି ମାଲକାନଗିରି ଜିଲ୍ଲା ଗସ୍ତରେ ଆସି କୋଭିଡ୍ ଚିକିତ୍ସାଳୟ ସହ ଟିଏମସି କେନ୍ଦ୍ର ପରିଦର୍ଶନ କରିଛନ୍ତି। ପ୍ରଥମେ ସାଂସଦ ଶ୍ରୀ ମାଝୀ କାଲିମେଳା ବ୍ଲକର କାଙ୍ଗୁରକୋଣ୍ଡା ଟିଏମସି କେନ୍ଦ୍ର ପରିଦର୍ଶନ କରି ସେଠାରେ ଥିବା ଅଧିକାରୀଙ୍କ ସହ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିଥିଲେ। ଆଉ ସେମାନଙ୍କୁ କିପରି ଉନ୍ନତମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇ ପାରିବ ସେନେଇ ଆଲୋଚନା କରିଥିଲେ। ସେଠାକାର ସମସ୍ୟା ସମ୍ପର୍କରେ ମଧ୍ୟ ପଚାରି ବୁଝିଥିଲେ। ପରେ ସାଂସଦ ଶ୍ରୀ ମାଝୀ ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ କୋଭିଡ ଚିକିତ୍ସାଳୟ ଗସ୍ତ କରି କୋଭିଡ ନୋଡାଲ ଅଧିକାରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ଅନ୍ୟାନ୍ୟ ଡାକ୍ତରଙ୍କ ସହ ସେଠାକାର ସମସ୍ୟା, ଶଯ୍ୟା, ଆଇସିୟୁ, ଭେଣ୍ଟିଲେଟର ଓ ଓକ୍ସିଜନ ସହ ଅନ୍ୟାନ୍ୟ ଭିତ୍ତଭୂମି ଉପରେ ଆଲୋଚନା କରିଥିଲେ। ଏହି ଗସ୍ତ ବେଳେ ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ଆଡମା ରାୱା ଓ ବିଜୁ ଯୁବଜନତା ଦଳର ଆଇଟି ମିଡିଆ କୋଡିନେଟର ମନୋଜ ପଟ୍ଟନାୟକ ଉପସ୍ଥିତ ଥିଲେ। ମାଲକାନଗିରି ଜିଲ୍ଲାକୁ କୋଭିଡମୁକ୍ତ କରିବା ସହ ରୋଗୀଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ସାଂସଦ ଶ୍ରୀ ମାଝୀ ଏଭଳି ଗସ୍ତ କରି ସମୀକ୍ଷା କରିଛନ୍ତି।