ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ବସଷ୍ଟାଣ୍ଡ ନିକଟସ୍ଥ ଶୁଖୁଆ ଗୋଦାମ ଗଳି ନିକଟସ୍ଥ ଏକ ଭଡ଼ା ଘରୁ ଜଣେ ବ୍ୟକ୍ତିଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପୁଲିସ ଉଦ୍ଧାର କରିଛି। ମୃତ ବ୍ୟକ୍ତି ଜଣକ ସନ୍ଦୀପ କୁମାର ସିଂ(୪୦) ବୋଲି ଜଣାପଡ଼ିଛି। ପ୍ରାଥମିକ ତଦନ୍ତ ଅନୁସାରେ ସନ୍ଦୀପ କୁମାର ଏକ ଛୁରୀରେ ନିଜ ବେକକୁ କାଟି ଆତ୍ମହତ୍ୟା କରିଥିବା ପୁଲିସ ଅନୁମାନ କରୁଛି। ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସନ୍ଦୀପଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଝାରସୁଗୁଡ଼ା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିକାଶ ଚନ୍ଦ୍ର ଦାସ ସୂଚନା ଦେଇଛନ୍ତି।
ସୂଚନାନୁଯାୟୀ, ଆଜି ସକାଳ ପ୍ରାୟ ୧୦ଟା ୩୦ ମିନିଟରେ ସନ୍ଦୀପ କୁମାର ରହୁଥିବା ଭଡ଼ା ଘରକୁ ତାଙ୍କର ଜଣେ ସମ୍ପର୍କୀୟ ଆସି କବାଟ ବାଡ଼େଇ ଥିଲେ। ସନ୍ଦିପ କବାଟ ନଖୋଲିବାରୁ ତାଙ୍କ ସମ୍ପର୍କୀୟ ଜଣକ ଘର ମାଲିକକୁ ଜଣାଇଥିଲେ। ଘର ମାଲିକ କବାଟ ଭାଙ୍ଗି ଦେଖିବା ପାଇଁ କହିଥିଲେ। ପରେ ସନ୍ଦିପଙ୍କ ସମ୍ପର୍କୀୟ କବାଟ ଭାଙ୍ଗି ଘର ଭିତରକୁ ପଶିଥିଲେ। ତେବେ ଘର ଭିତରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସନ୍ଦୀପକୁ ଦେଖି ତାଙ୍କ ସମ୍ପର୍କୀୟ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଁଚି ତଦନ୍ତ କରି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହାସହ ପାରିବାରିକ କଳହ କାରଣରୁ ସନ୍ଦୀପ ନିଜ ବେକକୁ ଏକ ଧାରୁଆ ଛୁରୀରେ କାଟି ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି।