ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟକ୍ଷମ ହେଲା ବ୍ଲଡ ଷ୍ଟୋରେଜ ୟୁନିଟ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜିଠାରୁ ଏକ ବ୍ଲଡ ଷ୍ଟୋରେଜ ୟୁନିଟ କାର୍ଯ୍ୟକ୍ଷମ ହୋଇଛି। ଏହି ଷ୍ଟୋରେଜ ୟୁନିଟରେ ରକ୍ତ ସୁରକ୍ଷିତ ଭାବରେ ରଖାଯିବା ସହ ଅତ୍ୟାବଶ୍ୟକ ସମୟରେ ରୋଗୀଙ୍କୁ ପ୍ରଦାନ କରାଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଜଗଦୀଶ ଚନ୍ଦ୍ର ବାରିକ କହିଛନ୍ତିା ସେ ଆହୁରି ମଧ୍ୟ କହିଛନ୍ତି ଯେ, ମଙ୍ଗଳା ବଜାରସ୍ଥିତ ଜିଲ୍ଲା ବ୍ଲଡ୍ ବ୍ୟାଙ୍କ ପୂର୍ବପରି କାର୍ଯ୍ୟକ୍ଷମ ରହିବ। ସେଠାରୁ ରୋଗୀଙ୍କ ସମ୍ପର୍କୀୟମାନେ ରକ୍ତ ସଂଗ୍ରହ କରି ପାରିବେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଷ୍ଟୋରେଜ ୟୁନିଟରୁ କେବଳ ଜରୁରୀକାଳୀନ ପରିସ୍ଥିତିରେ ରକ୍ତ ପ୍ରଦାନ କରାଯିବ।

ପ୍ରକାଶ ଯୋଗ୍ୟ ଯେ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ପ୍ରାୟ ୮ କିଲୋମିଟର ଦୂରରେ ବ୍ଲଡ୍ ବ୍ୟାଙ୍କ ରହିଛି। ତେଣୁ ଅତ୍ୟାବଶ୍ୟକ ସମୟରେ ରକ୍ତ ନେବା ଆଣିବାରେ ବହୁ ବିଳମ୍ବ ହେଉଥିଲା। ଫଳରେ ରୋଗୀଙ୍କ ଅବସ୍ଥା ଆହୁରି ସଙ୍କଟାପନ୍ନ ହେବାସହ ଅନେକ ସମୟରେ ରୋଗୀଙ୍କ ପ୍ରାଣହାନି ମଧ୍ୟ ହେଉଥିଲା। ଏହାକୁ ଲକ୍ଷ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ବ୍ଲଡ ବ୍ୟାଙ୍କ ସ୍ଥାପନ ପାଇଁ ଜିଲ୍ଲାବାସୀ ବହୁ ଦିନରୁ ଦାବି କରି ଆସୁଥିଲେ। ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ଲଡ୍ ଷ୍ଟୋରେଜ ୟୁନିଟ ଖୋଲାଯାଇଛି।