ନବରଙ୍ଗପୁର,ଏନ୍ଏନ୍ଏସ: ସଦର ମହକୁମା ମୁଖ୍ୟ ଚିକିତ୍ସାଳୟସ୍ଥିତ ରକ୍ତ ସଂଗ୍ରହାଳୟରେ ଭାରତୀୟ ରେଡକ୍ରସ୍ ସୋସାଇଟି ଓ ଜିଲ୍ଲା ଶାଖା ନବରଙ୍ଗପୁର ତରଫରୁ ପ୍ରଦତ୍ତ ଏକ ରକ୍ତଦାନ କାଉଚର ଉଦଘାଟିତ ହୋଇଯାଇଛି । ଏହାସହ ଉପର ମହଲାର ଆଇସିୟୁର ମଧ୍ୟ ଉଦଘାଟନ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ନବରଙ୍ଗପୁର ଜିଲ୍ଲାପାଳ ଡା. କମଳଲୋଚନ ମିଶ୍ର ଯୋଗଦେଇ ଉଦଘାଟନ କରିଥିଲେ । ଏହି କାଉଚ ଦ୍ୱାରା ଏଣିକି ରକ୍ତଦାତାମାନେ ଆଉଜିବା ଭଳି ଚୌକିରେ ବସି ରକ୍ତଦାନ କରିପାରିବେ ବୋଲି ଜିଲ୍ଲାପାଳ ଡା. ମିଶ୍ର କହିଛନ୍ତି । ଏହି ଉଦଘାଟନୀ ଉତ୍ସବରେ ଓଡ଼ିଶା ରାଜସ୍ୱ ଅମଲା ସଂଘର ରାଜ୍ୟ ସଭାପତି ତ୍ରିପତି ବାଲାଜୀ ସାହୁ ଓ ଜ୍ଞାନ ରଞ୍ଜନ ଖଣ୍ଡପାନ ପ୍ରଥମେ ରକ୍ତଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡେପୁଟି କଲେକ୍ଟର ମୌସୁମୀ ନାୟକ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. କାହ୍ନୁ ଚରଣ ପାତ୍ର, ରକ୍ତ ଭଣ୍ଡାର ଅଧିକାରୀ ଡା.ଦେବବ୍ରତ ଡାକୁଆ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ମଳୟ ତ୍ରିପାଠୀ, ଡା. ସୁକାନ୍ତ ଶତପଥୀ, ଲକ୍ଷ୍ମୀନାରାୟଣ ବିଶୋଇ ଓ ଡପିଏମ ସୁଶାନ୍ତ କୁମାର ପ୍ରହରାଜ ପ୍ରମୁଖ ଉପସ୍ଥିତ ଥିଲେ ।