ଜେଲରେ ୧୪୦ କଏଦୀ ଏଚଆଇଭି ପଜିଟିଭ ଚିହ୍ନଟ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ଗାଜିୟାବାଦସ୍ଥିତ ଡାସନା ଜେଲରେ ୧୪୦ କଏଦୀ ଏଚଆଇଭି ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ କଏଦୀଙ୍କୁ ଚିକିତ୍ସା ପାଇଁ ଏଡସ କଣ୍ଟ୍ରୋଲ ସୋସାଇଟି ପଠାଇ ଦିଆଯାଇଛି । ଏକାଥରକେ ଏତେ ସଂଖ୍ୟାରେ କଏଦୀ କିପରି ସଂକ୍ରମିତ ହେଲେ ସେନେଇ ସ୍ୱାସ୍ଥ୍ୟ ବିଭାଗ ଚିନ୍ତାରେ ପଡ଼ିଛି । ଅନ୍ୟପଟେ ଏହା ଏକ ସଂକ୍ରମଣାତ୍ମକ ରୋଗ ହୋଇଥିଲେ ସୁଦ୍ଧା ଜେଲ ପ୍ରଶାସନର ଖାତିର ନାହିଁ ।

ଜେଲ ଅଧୀକ୍ଷକ ଆଲୋକ କୁମାର ସିଂହ କହିଛନ୍ତି ଯେ, ଜେଲରେ କ୍ଷମତାଠାରୁ ଅଧିକ କଏଦୀ ଅଛନ୍ତି । ଚିହ୍ନଟ ୧୪୦ ଏଚଆଇଭି ପଜିଟିଭଙ୍କୁ ନେଇ ଚିନ୍ତା କରିବାର ଆବଶ୍ୟକତା ନାହିଁ ଏବଂ ଏହା ଏକ ରୁଟିନ ଯାଞ୍ଚ । ରୋଗୀ ସମ୍ବନ୍ଧରେ ସୂଚନା ମିଳିବା ମାତ୍ରକେ ଚିକିତ୍ସା ଆରମ୍ଭ ହୋଇଯାଏ । ଅଧିକ ନିଶା ସେବନ କରୁଥିବା ବ୍ୟକ୍ତିଙ୍କଠାରେ ଏହି ରୋଗ ଚିହ୍ନଟ ହୋଇଛି । କାରଣ ସେମାନେ ଗୋଟିଏ ସିରିଞ୍ଜ ଓ ଛୁଞ୍ଚିରେ ନିଶା କରୁଥିବାରୁ ସଂକ୍ରମଣ ବଢ଼ୁଛି ।

ସୂଚନାଯୋଗ୍ୟ, ଡାସନା ଜେଲର ୫,୫୦୦ କଏଦୀଙ୍କ ଏଚିଆଇଭି ଯାଞ୍ଚ କରାଯାଇଥିବାବେଳେ ୧୪୦ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।