ଦେଓଗାଁ,ଏନ୍ଏନ୍ଏସ୍: ଦେଓଗାଁ ବ୍ଲକର ଉନ୍ନତି ପାଇଁ କୋଟି କୋଟି ଟଙ୍କା ଆସୁଛି ହେଲେ ରାଜନେତାଙ୍କ ଗଞ୍ଜା ଲଢେ଼ଇ ଯୋଗୁଁ ଉନ୍ନତି ମୂଳକ କାମ ନହୋଇ କେବେ ଟଙ୍କା ଫେରି ଯାଉଛି ତ କେବେ ଟଙ୍କା ପଡିରହୁଛି। ଏହି ପଡ଼ି ରହିଥିବା ଟଙ୍କାର ଶୀଘ୍ର କାମ ଆରମ୍ଭ କରିବା ଦାବିରେ ସୋମବାର ଦିନ ଦେଓଗାଁ ବ୍ଲକ ଅଧ୍ୟକ୍ଷ ରୀନା ମେହେରଙ୍କ ନେତୃତ୍ୱରେ ବ୍ଲକର ସରପଞ୍ଚ, ସମିତି ସଭ୍ୟମାନେ ଧାରଣାରେ ବସିଛନ୍ତି।
ଗତ ୨୦୧୯ ଅଗଷ୍ଟ ବନ୍ୟାରେ ଭାଙ୍ଗି ଯାଇଥିବା ରାସ୍ତାଘାଟକୁ ମରାମତି କରିବା ପାଇଁ ଆସିଥିବା ୧ କୋଟି ୫୪ ଲକ୍ଷ ୮ ଶହ ଟଙ୍କା ଖର୍ଚ୍ଚ ନହୋଇ ପଡ଼ିରହିଛି। କେଉଁ ରାସ୍ତାରେ କେତେ ଟଙ୍କା ଖର୍ଚ୍ଚ ହେବ ତାହା ମଧ୍ୟ ନିଷ୍ପତ୍ତି ହୋଇଛି ହେଲେ କାମ ଭାଗ ବଣ୍ଟାକୁ ନେଇ କାମ ଆରମ୍ଭ କରାଯାଇ ନାହିଁ। ଯଦିଓ ସମସ୍ତ କାମ ବିଭାଗୀୟ ଅଧିକାରୀଙ୍କ ନାମରେ ହେବାକୁ ପୂର୍ବରୁ ସିଦ୍ଦାନ୍ତ ହୋଇଛି। ତୁରନ୍ତ କାମ କରିବା ପାଇଁ ସରପଞ୍ଚଠୁ ଆରମ୍ଭ କରି ସମିତିସଭ୍ୟ, ଜିଳ୍ଲାପରିଷଦ ସଭ୍ୟମାନେ ଦାବି କରୁଥିବା ବେଳେ ବିଡ଼ିଓ ଫାଇଲ ଖୋଲି ଧର୍ମକୁ ଆଖି ଠାର ପରି ଚୁପ ପଡୁ ଥିବାରୁ ଗତ ୨୧ ତାରିଖ ଦିନ ଅନୁଷ୍ଠିତ ହୋଇଥିବା ପଞ୍ଚାୟତ ସମିତି ବୈଠକରେ ସମସ୍ତ ସଦସ୍ୟ ଆସନ୍ତା ୭ ଦିନ ମଧ୍ୟରେ କାମ ଆରମ୍ଭ ନକଲେ ବ୍ଳକ କାର୍ଯ୍ୟାଳୟରେ ତାଲା ଦିଆଯିବ ବୋଲି ଘୋଷଣା କରିଥିଲେ। ବିଡିଓ ନିଶ୍ଚିତ ଭାବେ ୭ ଦିନ ଭିତରେ କାମ ଆରମ୍ଭ କରାଯିବ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ହେଲେ ପ୍ରତିଶ୍ରୁତି ଦେବାର ୧୧ ଦିନ ବିତିଯାଇଥିଲେ ବି କାମ ଆରମ୍ଭ ନହେବାରୁ ସରପଞ୍ଚ ଓ ସମିତିସଭ୍ୟ ବ୍ଲକ ସମ୍ମୁଖରେ ଧାରଣାରେ ବସିଛନ୍ତି।