ନିଲାମର ପ୍ରଥମ ଦିନରେ ମହାରାଷ୍ଟ୍ରର କୋଇଲା ଖଣିକୁ ଜିତିଲେ ଓଡ଼ିଶା ଖଣି ମାଲିକ

ନୂଆଦିଲ୍ଲୀ/ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶାର ପ୍ରଥମ କମ୍ପାନୀ ଭାବେ ୟଜଦାନି ଇଣ୍ଟରନେସନାଲ ପ୍ରାଇଭେଟ ଲିମିଟେଡ ରାଜ୍ୟ ବାହାରେ ଏକ କୋଇଲା ଖଣି ପାଇବାରେ ସଫଳ ହୋଇଛି। ସୋମବାର ପାଞ୍ଚଟି ବ୍ଲକର ଇ-ନିଲାମର ପ୍ରଥମ ଦିନରେ ୟଜଦାନି ଗ୍ରୁପ୍ ମହାରାଷ୍ଟ୍ରର ମାର୍କି ମଙ୍ଗଳୀ-୨ ଖଣିକୁ ୩୦.୭୫ ପ୍ରତିଶତ ପ୍ରିମିୟମରେ ହାସଲ କରିଛି।

ଏହି ୩.୪ ବର୍ଗ କିଲୋମିଟର ବ୍ୟାପିଥିବା ୧୧.୫୪ ନିୟୁତ ଟନର ଖଣିଜ ପଦାର୍ଥକୁ ପାଇବା ପାଇଁ ଆନ୍ଧ୍ରପ୍ରଦେଶ ମିନେରାଲ ଡେଭଲପମେଣ୍ଟ କର୍ପୋରେସନ ଲିମିଟେଡ ଏବଂ ରେଫେକ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ମଧ୍ୟ ଦୈଡରେ ଭାଗ ନେଇଥିଲେ।

ଅନ୍ୟପକ୍ଷରେ ଓଡ଼ିଶାର ଅନୁଗୁଳ ଜିଲ୍ଲାର ରାଧିକାପୁର ପଶ୍ଚିମ କୋଇଲା ଖଣି ପାଇଁ ବେଦାନ୍ତ ପକ୍ଷରୁ ବିଡ୍ ତିଆରି ହୋଇଛି। ଯେଉଁଥିରେ ୨୧ ପ୍ରତିଶତ ପ୍ରିମିୟମ ପ୍ରଦାନ କରାଯାଇଛି। ତେବେ ଏହି ଖଣିରେ ୩୧୨ ନିୟୁତ ଟନର ଖଣିଜ ପଦାର୍ଥ ରହିଛି। ଏହି କୋଇଲା ଖଣି ପାଇବା ପାଇଁ ଇଏମଆଇଏଲ ମାଇନ୍ସ ଏଣ୍ଡ ମିନେରାଲ୍ସ ରିସୋର୍ସ ଲିମିଟେଡ ଓ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ପକ୍ଷରୁ ବିଡ୍ ଉପସ୍ଥାପନ କରାଯାଇଥିଲା।

କୋଇଲା ମନ୍ତ୍ରାଳୟର ସୂଚନା ଅନୁସାରେ ନଭେମ୍ବର ୯ ପର୍ଯ୍ୟନ୍ତ ୧୯ଟି କୋଇଲା ଖଣି ନିଲାମ କରାଯିବ।