ଅଫିସରେ ତାଲା ପକାଇଲେ ବ୍ଲକ୍ ଅଧ୍ୟକ୍ଷ

କୋରାପୁଟ,ଏନ୍ଏନ୍ଏସ୍: ନନ୍ଦପୁର ବିଡିଓ କୈଳାସ ଚନ୍ଦ୍ର ସିଆଲ ଓ ଉନ୍ନୟନ କିରାଣିଙ୍କ ମନମୁଖୀ କାର୍ଯ୍ୟ, ଦୁର୍ନୀତିକୁ ପ୍ରୋତ୍ସାହନ ଓ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିମାନଙ୍କୁ ଅଣଦେଖା କରିବା ଅଭିଯୋଗରେ ବ୍ଲକ୍ ଅଫିସରେ ତାଲା ପକାଇବା ସହ ଧାରଣା ଦେଇଛନ୍ତି ବ୍ଲକ୍ ଅଧ୍ୟକ୍ଷ ଓ ତାଙ୍କ ସମର୍ଥନ। ଅଭିଯୋଗ ଅନୁଯାୟୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ଡେଭଲପମେଣ୍ଟ କ୍ଲର୍କ ବ୍ଲକର ଉନ୍ନତି ପ୍ରତି ଗୁରୁତ୍ୱ ନଦେଇ ନାନା ଆଳ ଦେଖାଇ ଉନ୍ନୟନ ମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି। ବିଡିଓଙ୍କ ଅସହଯୋଗ ଯୋଗୁଁ ବ୍ଲକକୁ ଆସିଥିବା ୭୦ ଲକ୍ଷ ଟଙ୍କା ଖର୍ଚ୍ଚ ନ ହୋଇ ଫେରି ଯାଇଥିବା ବ୍ଲକ୍ ଅଧ୍ୟକ୍ଷ ମଧୁ ମୁଦୁଲି ଅଭିଯୋଗ କରିଛନ୍ତି। ଅତି ଜରୁରୀ ଥିବା ପ୍ରକଳ୍ପକୁ ଆକ୍ସନ୍ ପ୍ଲାନରେ ଭର୍ତ୍ତି ନକରି ସେମାନଙ୍କ ସୁବିଧା ଅନୁଯାୟୀ ଆକ୍ସନ୍ ପ୍ଲାନ୍ କରୁଥିବା ବ୍ଲକ୍ ଅଧ୍ୟକ୍ଷ ଅଭିଯୋଗ ଉଠାଇଥିବାବେଳେ ସାମାଜିକ ସମୀକ୍ଷା ଠିକ୍ ଭାବେ କାର୍ଯ୍ୟକାରୀ ହେଉ ନଥିବା ଅଭିଯୋଗ ହୋଇଛି।

ଘଟଣା ଜଣା ପଡିବା ପରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ୱର ଚନ୍ଦ୍ର ନାୟକ, ନନ୍ଦପୁର ତହସିଲଦାର ନରସିଂହ ଗାଦବା, ଏସଡିପିଓ ସଞ୍ଜୟ ମହାପାତ୍ର, ଥାନା ଅଧିକାରୀ କପିଳେଶ୍ୱର ବେହେରା ବ୍ଲକ୍ ଅଫିସରେ ପହଞ୍ଚି ଧାରଣାରତ ବ୍ଲକ୍ ଅଧ୍ୟକ୍ଷ ମଧୁ ମୁଦୁଲିଙ୍କ ସହିତ ଆଲୋଚନା କରିଥିଲେ। ଅଭିଯୋଗର ତଦନ୍ତି କରି ଏକ ମାସ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେବାପରେ ବ୍ଲକ୍ ଅଧ୍ୟକ୍ଷ ଧାରଣାରୁ ଉଠି ଅଫିସରୁ ତାଲା ଖୋଲିଥିଲେ।