୧୦ ବର୍ଷର ଷ୍ଟେଟମେଣ୍ଟ୍ ଦିଅ, ଆୟର ଉତ୍ସ କୁହ: ବିଜେପି

ଭୁବନେଶ୍ୱର,ଏନ୍ଏନ୍ଏସ୍: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟ ସରକାରଙ୍କ ୨୦ଜଣ ମନ୍ତ୍ରୀଙ୍କର ସମ୍ପତ୍ତି ତାଲିକା ଆଜି ସାର୍ବଜନିନ ହୋଇଛି। ୨୦୧୯-୨୦ ବର୍ଷ ସୁଦ୍ଧା ସମସ୍ତଙ୍କର ସ୍ଥାବର ଅସ୍ଥାବର ସମ୍ପତ୍ତିର ପରିମାଣ ଓ ମୂଲ୍ୟ କେତେ ରହିଛି ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ୱେବସାଇଟରେ ସବିଶେଷ ରିପୋର୍ଟ ପ୍ରକାଶ ପାଇଛି। ତେବେ କେବଳ ବର୍ଷକର ତାଲିକା ନଦେଇ ବିଗତ ୧୦ ବର୍ଷର ତାଲିକା ଦେବାସହ ବଢ଼ୁଥିବା ଆୟର ଉତ୍ସ ଜଣାନ୍ତୁ ବୋଲି ରାଜ୍ୟ ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ଦାବି କରିଛନ୍ତି।
ଏ ବିଷୟରେ ନିଜର ପ୍ରତିକ୍ରିୟା ରଖି ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ଯେତେବେଳେ ମୁଖ୍ୟମନ୍ତ୍ରୀ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ସମସ୍ତ ବିଧାୟକ, ମନ୍ତ୍ରୀ ନିଜର ସମ୍ପତ୍ତି ତାଲିକା ରଖିବା ବାଧ୍ୟତାମୂଳକ ବୋଲି ଘୋଷଣା କରିଥିଲେ, ଆମେ ସେତେବେଳେ ଦୁଇଟି ପ୍ରସ୍ତାବ ରଖିଥିଲୁ। କେବଳ ବର୍ଷକର କାହିଁକି ବିଗତ ୧୦ବର୍ଷର ସମ୍ପତ୍ତି ତାଲିକାର ବିଶ୍ଳେଷଣାତ୍ମକ ତଥ୍ୟ ରଖାଯାଉ ବୋଲି ଦାବି କରିଥିଲୁ। ଏହାଦ୍ୱାରା କେଉଁ ଅନୁପାତରେ ଜଣଙ୍କର ସମ୍ପତ୍ତି ବଢ଼ୁଛି ତାହା ସାଧାରଣ ଲୋକେ ସହଜରେ ଜାଣିପାରିବେ। ଏଥିସହ ଦ୍ୱିତୀୟରେ ପ୍ରତିବର୍ଷ ବଢ଼ୁଥିବା ଆୟର ଉତ୍ସ କ’ଣ ଏହା ଜଣାଇବାର ଆବଶ୍ୟକତା ରହିଛି। ଜଣଙ୍କର ଯଦି ବର୍ଷକରେ ୩କୋଟି ସମ୍ପତ୍ତି ବଢ଼ୁଛି, କିନ୍ତୁ ସେ କେଉଁଠୁ ଆଣିଲେ ତାହା କହିବେନି ତେବେ ପ୍ରକ୍ରିୟାର ସ୍ୱଚ୍ଛତା କେମିତି ମପାଯିବ ?
ମୁଖ୍ୟମନ୍ତ୍ରୀ ଏହି ଚାହିଁଜଳକା ଖେଳ ବନ୍ଦ କରିବା ଦରକାର। କେବଳ ଘୋଷଣା ନକରି କଡ଼ା ନିୟମ ମଧ୍ୟ ଆଣିବା ଦରକାର। ଯେଉଁମାନେ ଏଥିରେ ଖିଲାପି କରିବେ ତାଙ୍କ ଉପରେ କେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାହା ମଧ୍ୟ ସ୍ଥିର ହେବା ଦରକାର। ନହେଲେ ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀ ଯେଉଁ ଲଢ଼େଇର ଆହ୍ୱାନ ଦେଇଛନ୍ତି ତାହା କେବଳ ଏକ ମିଛ ଆସ୍ଫାଳନ ବୋଲି ଧରାଯିବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।