ପ୍ରକାଶ ପାଇଲା ସମ୍ପତ୍ତି ତାଲିକା: ନବୀନଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ମୂଲ୍ୟ ୬୪.୯୮ କୋଟି

ଦୁଇ ବର୍ଷରେ ମନ୍ତ୍ରୀ ନବ କିଶୋର କିଣିଛନ୍ତି ୮୦ ଗାଡ଼ି

ଭୁବନେଶ୍ୱର,ଏନ୍ଏନ୍ଏସ୍:  କି’ଏ କେତେ ଧନୀ ? କାହା ପାଖରେ କେତେ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଅଛି  ? ସିଏମଓ ୱେବସାଇଟରେ ପ୍ରକାଶ ପାଇଛି ଏହି ସମ୍ପତ୍ତି ତାଲିକା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ୨୧ ମନ୍ତ୍ରୀ ସେମାନଙ୍କର ନିଜ ସମ୍ପତ୍ତି ତାଲିକା ୨୦୨୦ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ପ୍ରଦାନ କରିଛନ୍ତି।

ପ୍ରକାଶିତ ସମ୍ପତ୍ତି ତାଲିକା ୨୦୧୯-୨୦ ଆର୍ଥିକ ବର୍ଷର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟତୀତ କ୍ୟାବିନେଟ୍ ମନ୍ତ୍ରୀ ଭାବେ ନିରଞ୍ଜନ ପୂଜାରୀ, ବିକ୍ରମ କେଶରୀ ଆରୁଖ, ପ୍ରଫୁଲ୍ଲ କୁମାର ମଲ୍ଲିକ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପଦ୍ମନାଭ ବେହେରା, ପ୍ରତାପ ଜେନା, ଅରୁଣ ସାହୁ, ସୁଦାମ ମାର୍ଣ୍ଡି, ସୁଶାନ୍ତ ସିଂହ, ନବ କିଶୋର ଦାସ ଓ ଟୁକୁନି ସାହୁ। ସେହିପରି ମନ୍ତ୍ରୀପରିଷଦର ରାଜ୍ୟପାହ୍ୟା (ସ୍ୱାଧୀନ) ମନ୍ତ୍ରୀ ଭାବେ ଜଗନ୍ନାଥ ସରକା, ଦିବ୍ୟଶଙ୍କର ମିଶ୍ର, ଅଶୋକ ପଣ୍ଡା,ସମୀର ରଞ୍ଜନ ଦାଶ,ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ପ୍ରେମାନନ୍ଦ ନାୟକ, ରଘୁନନ୍ଦନ ଦାସ, ପଦ୍ମିନୀ ଦିଆନ ଓ ତୁଷାରକାନ୍ତି ବେହେରା ମଧ୍ୟ ନିଜର ସ୍ଥାବର ଓ ଅସ୍ଥାବର cmସମ୍ପତ୍ତି କେତେ ବଢ଼ିଛି, କେତେ କମିଛି ପ୍ରଦାନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏବେ ବି ଏକ ୧୯୮୦ ମଡେଲର ଏକ ଆମ୍ବାସାଡୋର କାର ରହିଛି। ଏହାର ଆନୁମାନିକ ମୂଲ୍ୟ ରହିଛି ୮,୯୦୫ ଟଙ୍କା। ଦେଶର ୭ଟି ବ୍ୟାଙ୍କରେ ନବୀନଙ୍କର ଅଛି ୧୩ କୋଟି ୧ଲକ୍ଷ ୬ହଜାର ୧୧ ଟଙ୍କା। ବ୍ୟାଙ୍କ ଅଫ ଇଣ୍ଡିଆ(ବିଓଆଇ)ର ଦିଲ୍ଲୀ ଜନପଥ ଶାଖାରେ ସର୍ବାଧିକ ୧କୋଟି ୩ ଲକ୍ଷ ୧୩ ହଜାର ୪୯୯ ଟଙ୍କା ଅଛି। ସେହିପରି ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ ଭୁବନେଶ୍ୱର ଶାଖାରେ ୧୦,୫.୮୮୮.୦୭ ଟଙ୍କା ଥିବାବେଳେ ହିଞ୍ଜିଳିକାଟୁ ଶାଖାରେ ୬,୭୪୬ ରହିଛି ମାତ୍ର ଟଙ୍କା । ସେହିପରି ନବୀନଙ୍କ ପାଖରେ ରହିଛି ପ୍ରାୟ ୨ଲକ୍ଷ ୮୯ ହଜାର ୫୮୭ ଟଙ୍କାର ସୁନାଗହଣା। ଏହିଭଳି ନବୀନଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୋଟ୍ ମୂଲ୍ୟ ୬୪,୯୮,୧୯, ୭୬୪ ଟଙ୍କା ବୋଲି ଆକଳନ କରାଯାଇଛି। ସେ ନିଜ ସିଏମଓ ୱେବ୍ ସାଇଟରେ ପ୍ରକାଶ କରିଛନ୍ତି।
ଅନ୍ୟ ୨୦ ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା ମଧ୍ୟ ଗତ ବର୍ଷ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ସିଏମଓ ୱେବ୍ ସାଇଟରେ ପ୍ରକାଶ ପାଇଛି। ମନ୍ତ୍ରୀମାନେ ନିଜର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ କେତେ ଦେଇଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ମଧ୍ୟ ତାଙ୍କ ସଂପତ୍ତିର ତାଲିକା ଦେଇଛନ୍ତି। ଶ୍ରୀ ଦାସ ଦୁଇ ବର୍ଷରେ ଅର୍ଥାତ ୨୦୧୮ରୁ ୨୦୨୦ ଗୋଟିଏ ସୌଖୀନ ମର୍ସିଡିସ୍ ବେଞ୍ଜ୍ କାର କିଣିଛନ୍ତି। ଉକ୍ତ ମର୍ସିଡିସ୍ ବେଞ୍ଜ କାରର ମୂଲ୍ୟ ୧ କୋଟି ୯୬ ଲକ୍ଷ ଟଙ୍କା। ସେହି ଦୁଇବର୍ଷରେ ଶ୍ରୀ ଦାସ କିଣିଛନ୍ତି ୮୦ଟି ଟ୍ରକ ଓ ଅନ୍ୟ ବାଣିଜ୍ୟିକ ଗାଡ଼ି। ଏଥିସହ ତାଙ୍କର ସମ୍ବଲପୁର,ଝାରସୁଗୁଡ଼ା ଓ ଭୁବନେଶ୍ୱରରେ ଥିବା ସମ୍ପତ୍ତି ମଧ୍ୟ ଦର୍ଶାଇଛନ୍ତି।
ନବଙ୍କ ପଛକୁ ରହିଛନ୍ତି ଆଇନ ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା। ସେ ଦର୍ଶାଇଛନ୍ତି ଯେ, ତାଙ୍କ ସଂପତ୍ତିର ମୂଲ୍ୟ ୧୦ କୋଟି ୩୫ ଲକ୍ଷ ୨୯ ହଜାର ୯୧୧ ଟଙ୍କା। ଶ୍ରୀ ଜେନା ନିଜ ପାଖରେ ୫୦,୦୦୦ ଟଙ୍କା ନଗଦ ରଖିଥିଲାବେଳେ ସେଣ୍ଟ୍ରାଲ ବ୍ୟାଙ୍କରେ ୪,୧୯,୮୧୮ ଟଙ୍କା, ୟୁନାଇଟେଡ୍ ବ୍ୟାଙ୍କରେ ୪୯,୩୭,୬୭୬ ଟଙ୍କା ଓ ୟୁକୋ ବ୍ୟାଙ୍କରେ ୧୪,୮,୦୮୮ ଟଙ୍କା ରହିଛି। ସୁଚନା ଓ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ନିଜ ସ୍ଥାବର ଓ ଅସ୍ଥାବର ସଂପତ୍ତିର ମୂଲ୍ୟ ୮ କୋଟି ୩୪ ଲକ୍ଷ ୪୮ ହଜାର ୯୯୪ ଟଙ୍କା ଦର୍ଶାଇଛନ୍ତି। ଶ୍ରୀ ପଣ୍ଡାଙ୍କ ଦୁଇଟି ଯାଗାରେ ଚାଷ ଜମି ରହିଛି। ଏହାର ମୂଲ୍ୟ ୬୫ ଲକ୍ଷ ଟଙ୍କା ହେବ। ସେହିପରି ଅଣ ଚାଷ ଜମିର ମୂଲ୍ୟ ୪.୫୦ କୋଟି ରହିଛି। ସେ ୪,୧୯,୬୦୨ ଟଙ୍କା ଋଣ ନେଇଥିଲାବେଳେ ନିଜ ଘରେ ୭୩,୪୦୦ ଟଙ୍କା ମୂଲ୍ୟର ସୂନା ରହିଛି।

ଶିଳ୍ପ, ଗୃହ ଓ ରାଜ୍ୟମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୭ କୋଟି ୩୧ ଲକ୍ଷ ୭୬ ହଜାର ୪୦୮ ଟଙ୍କା ଥିବାର ଦର୍ଶାଇଛନ୍ତି। ତାଙ୍କର ଅସ୍ଥାବର ସମ୍ପତ୍ତି ଭାବେ ୧୬ ଲକ୍ଷ ଟଙ୍କାର ଗାଡ଼ି, ସ୍ଥାବର ସମ୍ପତ୍ତି ଭାବେ ୫ କୋଟି୦୩ ଲକ୍ଷ ୪୦ ହଜାର ଟଙ୍କା ଓ ଘରର ମୂଲ୍ୟ ୧ କୋଟି ୩୦ ଲକ୍ଷ ଟଙ୍କା ଏବଂ ନଗଦ ଆକାରରେ ୮୨,୩୬,୪୦୮ ଟଙ୍କା ଥିବା ସେ ଦର୍ଶାଇଛନ୍ତି। ସେହିପରି ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ବିକ୍ରମ ଆରୁଖ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୪ କୋଟି ୭୮ ଲକ୍ଷ ୪୭ ହଜାର ୪୭୧ଟଙ୍କା ଥିବା ଦର୍ଶାଇଥିଲାବେଳେ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ ନିଜର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୪ କୋଟି ୯୩ ଲକ୍ଷ ୯୪ ହଜାର ୬୪୪ ଟଙ୍କା ଦର୍ଶାଇଛନ୍ତି।  ଅନ୍ୟମାନଙ୍କ ମଧ୍ୟରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୪ କୋଟି ୩୪ ଲକ୍ଷ ୬୫ ହଜାର ୩୦୮ଟଙ୍କା ଥିବାବେଳେ ରାଜସ୍ୱ ଓ ବିପର୍ଯ୍ୟୟ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୨ କୋଟି ୬୧ ଲକ୍ଷ ୧୮ ହଜାର ୨୬ ଟଙ୍କା, ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୨ କୋଟି ୨୩ ଲକ୍ଷ ୭୫, ୭୬୧ ଟଙ୍କା, ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୩୯ ଲକ୍ଷ ୨୮, ୮୩୧ ଟଙ୍କା ଏବଂ କ୍ରିଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୩୨ ଲକ୍ଷ ୩୩ ହଜାର ୪୭୧ ଟଙ୍କା ଥିବା ଦର୍ଶାଇଛନ୍ତି। ବାକି ମନ୍ତ୍ରୀମାନେ ମଧ୍ୟ ନିଜ ସମ୍ପତ୍ତି ତାଲିକା ପ୍ରଦାନ କରିଛନ୍ତି।