ଶ୍ରୀନଗର,ଏଜେନ୍ସି: ଗୁରୁବାର ଦିନ ଦକ୍ଷିଣ କଶ୍ମୀରର କୁଲଗାମ ଜିଲ୍ଲା ଅନ୍ତର୍ଗତ କାଜିଗୁଣ୍ଡ ବ୍ଲକ୍ ଅଧୀନ ୱେସୁ ଗାଁରେ ଆତଙ୍କବାଦୀମାନେ ଅନ୍ୟ ଜଣେ ବିଜେପି ସରପଞ୍ଚଙ୍କୁ ଗୁଳି କରି ହତ୍ୟା କରିଥିବା ଜଣାପଡ଼ିଛି। ତେବେ ୪୮ ଘଣ୍ଟାରୁ କମ୍ ସମୟ ମଧ୍ୟରେ ଏହା ହେଉଛି ଜାମ୍ମୁ ଓ କାଶ୍ମୀରରେ ସରପଞ୍ଚଙ୍କ ଉପରେ ଦ୍ୱିତୀୟ ଆକ୍ରମଣ।
ସୂଚନା ଅନୁସାରେ ନିହତ ସରପଞ୍ଚ ହେଉଛନ୍ତି ସାଜଦ ଅହମଦ୍ ଖାଣ୍ଡେ। ଆତଙ୍କବାଦୀଙ୍କ ଗୁଳିରେ ସେ ଗୁରୁତର ଆହତ ହୋଇଥିବାବେଳେ ତାଙ୍କୁ ଅନନ୍ତନାଗସ୍ଥିତ ଜିଏମଜି ହସ୍ପିଟାଲକୁ ନିଆଯାଇଥିଲା। ମାତ୍ର ତାଙ୍କୁ ମୃତାବସ୍ଥାରେ ଡାକ୍ତରଖାନାକୁ ଅଣାଯାଇଥିବା ସିଏମଜି ହସ୍ପିଟାଲର ମେଡିକାଲ୍ ସୁପରିଟେଣ୍ଡେଣ୍ଟ୍ ଡାକ୍ତର ମହମଦ୍ ଇକବାଲ ସୋଫି କହିଛନ୍ତି। ସେହିପରି ପୂର୍ବରୁ ଅଗଷ୍ଟ ୪ ତାରିଖ ସନ୍ଧ୍ୟାରେ ଅଖ୍ରାନ୍ କାଜିଗୁଣ୍ଡରେ ଆତଙ୍କବାଦୀମାନେ ବିଜେପି ସରପଞ୍ଚ ଅରିଫ୍ ଅହମଦଙ୍କୁ ଗୁଳି ମାରି ଆହତ କରିଥିଲେ। ଏହାଛଡ଼ା, ବିଜେପି ନେତା ୱାସିମ୍ ବାରି ଓ କଂଗ୍ରେସ ସରପଞ୍ଚ ଅଜୟ ପଣ୍ଡିତଙ୍କୁ ଜୁନ୍ ଓ ଜୁଲାଇ ମାସରେ ଆତଙ୍କବାଦୀମାନେ ହତ୍ୟା କରିଥିଲେ।