ଆଜି ରାଜ୍ୟରେ ଆଉ ୧,୬୯୯ କରୋନା ପଜିଟିଭ ଚିହ୍ନଟ, ୧୦ ମୃତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଗତ କିଛିଦିନ ହେବ ଓଡ଼ିଶାରେ କରୋନା ସଂକ୍ରମଣ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଆଜି ପୁଣି ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ରେକର୍ଡ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୨୯ଟି ଜିଲ୍ଲାରୁ ୧,୬୯୯ ଜଣ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ୧,୦୭୩ ସଂଗରୋଧ କେନ୍ଦ୍ରର ହୋଇଥିବା ବେଳେ ୬୨୬ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି। ସେହିପରି ଆଜି ଆଉ ୧୦ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି।

ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନା ଅନୁସାରେ ଗଞ୍ଜାମରେ ସର୍ବାଧିକ ୨୬୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୨୨୦, ସୁନ୍ଦରଗଡ଼ରୁ ୧୭୮, କଟକରୁ ୧୦୫, ସମ୍ବଲପୁରରୁ ୧୦୧, ବରଗଡ଼ରୁ ୮୧, କନ୍ଧମାଳରୁ ୭୪, ମାଲକାନଗିରିରୁ ୭୨, ପୁରୀରୁ ୬୭, ଭଦ୍ରକରୁ ୬୬, ଗଜପତିରୁ ୫୯, କେନ୍ଦୁଝରରୁ ୫୬, ଯାଜପୁର ଓ କୋରାପୁଟରୁ ୪୧ ଜଣ ଲେଖାଏଁ, କଳାହାଣ୍ଡିରୁ ୩୦, କେନ୍ଦ୍ରାପଡ଼ା ଓ ଢ଼େଙ୍କାନାଳରୁ ୨୭ ଜଣ ଲେଖାଏଁ, ନୟାଗଡ଼ରୁ ୨୫, ମୟୂରଭଞ୍ଜରୁ ୨୪, ବଲାଙ୍ଗିରରୁ ୨୧, ରାୟଗଡ଼ାରୁ ୧୯, ଅନୁଗୁଳ ଓ ବାଲେଶ୍ୱରରୁ ୧୭ ଜଣ ଲେଖାଏଁ, ଜଗତସିଂହପୁର ଓ ନବରଙ୍ଗପୁରରୁ ୧୬ ଜଣ ଲେଖାଏଁ, ଝାରସୁଗୁଡ଼ା ଓ ସୋନପୁରରୁ ୧୦ ଜଣ ଲେଖାଏଁ, ବୌଦ୍ଧରୁ ୮ ଓ ନୂଆପଡ଼ାରୁ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏଥିସହିତ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୦ ହଜାର ୭୧୭ରେ ପହଞ୍ଚିଛି। ସେଥିମଧ୍ୟରୁ ୨୫ ହଜାର ୭୩୭ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୪ ହଜାର ୭୦୦ ଜଣ ବର୍ତ୍ତମାନ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ସେହିପରି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ରାଜ୍ୟରେ ଆଉ ୧୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସେଥି ମଧ୍ୟରେ ଗଞ୍ଜାମର ଜଣେ ୫୨ ବର୍ଷୀୟ ପୁରୁଷ, ଜଣେ ୪୦ ବର୍ଷୀୟ ପୁରୁଷ ଓ ଜଣେ ୫୫ ବର୍ଷୀୟ ପୁରୁଷ ଥିବା ଜଣାପଡ଼ିଛି। ସୁନ୍ଦରଗଡ଼ର ଜଣେ ୨୮ ବର୍ଷୀୟ ମହିଳା ଓ ଜଣେ ୫୪ ବର୍ଷୀୟ ପୁରୁଷର କରୋନାରେ ପ୍ରାଣ ଯାଇଛି। ସେହିପରି ଭଦ୍ରକର ଜଣେ ୫୩ ବର୍ଷୀୟ ମହିଳା, କନ୍ଧମାଳର ଜଣେ ୬୧ ବର୍ଷୀୟ ବୃଦ୍ଧ, ନବରଙ୍ଗପୁରରୁ ଜଣେ ୪୦ ବର୍ଷୀୟ ପୁରୁଷ, ନୟାଗଡ଼ର ଜଣେ ୩୯ ବର୍ଷୀୟ ଯୁବକ ଓ କେନ୍ଦୁଝରର ଜଣେ ୫୨ ବର୍ଷୀୟ ପୁରୁଷଙ୍କ କରୋନାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏଥିସହିତ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୨୩୫ରେ ପହଞ୍ଚିଥିବା ବେଳେ କେବଳ ଗଞ୍ଜାମରେ କରୋନା ମୃତ୍ୟୁ ସଂଖ୍ୟା ୧୨୦କୁ ଛୁଇଁଛି।